ରାଜଧାନୀରେ କାଳବୈଶାଖୀର ତାଣ୍ଡବ…ଉପୁଡିଲା ଗଛ, ରାସ୍ତାରେ ଲହଡ଼ି ମାରିଲା ବର୍ଷା ପାଣି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀର ଅଳ୍ପ କିଛି ସ୍ଥାନରେ ଝିପଝିପ ବର୍ଷା ହୋଇଥିବା ବେଳେ କିଛି ଅଚଂଳରେ କାଳବୈଶାଖୀ ତାଣ୍ଡବ ରଚିଥିବା ଦେଖାଯାଇଛି । ଖାରବେଳନଗର, କ୍ୟାପିଟାଲ, ଖଣ୍ଡଗିରି ଓ ଏୟାରଫିଲ୍ଡ ଥାନା ଅଚଂଳରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରଦାର ପବନ ବହିଥିଲା । କିଛି ଘଣ୍ଟା ପାଇଁ ଏହି ଅଚଂଳରେ ଯାତାୟତ ଯେପରି ଠପ୍ ହୋଇଥିବା ଦେଖିବାକୁ ମିଳିଥିଲା । ହଠାତ୍ ମାଡି ଆସିଥିଲା ଘନ ବାଦଲ । ତା’ ସାଙ୍ଗକୁ ପୁଣି ଘଡ଼ଘଡ଼ି ଓ ବିଜୁଳି । ବୋହିଥିଲା ଜୋରଦାର ପବନ ଏବଂ ଢ଼ାଳିଥିଲା ବର୍ଷା ।

ପବନର ବେଗ ଏତେ ତୀବ୍ର ଥିଲା ଯେ ଲୋୟର ପିଏମଜି ଠାରୁ ଧରି ଏଜି ଛକ ପର୍ଯ୍ୟନ୍ତ ଏବଂ ଏୟାରଫିଲ୍ଡ ଅଚଂଳରେ କାଳବୈଶାଖୀର ପ୍ରକୋପ ଦେଖାଦେଇଥିଲା । ଫଳରେ ରାସ୍ତା କଡ଼ରେ ଥିବା ବଡ଼ ବଡ଼ ଗଛକୁ ଉପାଡି ପଡିଥିଲା । ଖାଲି ଏତିକି ନୁହେଁ କିଛି ମିନିଟ ମଧ୍ୟରେ ରାସ୍ତାରେ ଦୁଇ ଫୁଟ ଉଚତାର ପାଣି ଲହଡ଼ି ମାରିଥିବା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ତ ରାସ୍ତାରେ ଗଛ ପଡିଥିବାରୁ ଯିବାଆସିବା ପାଇଁ ଯାତ୍ରୀମାନଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡିଥିଲା । ଖବର ପାଇ ବହୁ ସ୍ଥାନରେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ପୁଲିସ ଗଛକଟା ଉପକରଣ ସାହାଯ୍ୟରେ ଗଛ କାଟିବା ଆରମ୍ଭ କରିଛନ୍ତି ।

ଦିନ ୨ଟା ବେଳା ଖରାତାତି ସାଙ୍ଗକୁ ଝାଞ୍ଜି ପବନ ସହରବାସୀଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ହଠାତ୍ ଜୋର ପବନ ଓ ବର୍ଷା ଆସିବା ଯୋଗୁ ରାଜଧାନୀ ବାୟୁମଣ୍ଡଳ ଥଣ୍ଡା ପଡିଯାଇଛି । ଆଜି ଦିନରେ ଭୁବନେଶ୍ୱରର ତାପମାତ୍ରା ୪୧ଡିଗ୍ରୀ ଉପରେ ଥିବା ବେଳେ ସନ୍ଧ୍ୟାରେ ଏହା ୩୦ ଡିଗ୍ରୀରେ ପହଞ୍ଚିଛି ।


ସେୟାର କରନ୍ତୁ