ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଢ଼ିଲା, ରନୱେକୁ ଡେଇଁ ଆତଙ୍କ ରଚିଲେ ଏମବିଏ ଛାତ୍ର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବିଜୁପଟ୍ଟନାୟକ ବିମାନବନ୍ଦର ରନୱେ ଭିତରକୁ ଡେଇଁ ମଙ୍ଗଳବାର ଜଣେ ଏମବିଏ ଛାତ୍ର ଆତଙ୍କ ସୃଷ୍ଟି କରିଛନ୍ତି । ଛାତ୍ର ଜଣଙ୍କ ହେଲେ ଖଣ୍ଡଗିରି ଥାନା ଡୁମୁଡୁମା ପଚଂଶଖାନଗର ପ୍ଲଟ ନମ୍ବର-ଏମ/୧୧/୪ରେ ରହୁଥିବା ସତ୍ୟପ୍ରିୟ ରାଉତଙ୍କ ପୁଅ କ୍ରିଷ୍ଣା ରାଉତ (୨୨) । ପରେ ରନୱେରୁ ସିଆଇଏସଏଫ ଯବାନମାନେ ତାକୁ କାବୁ କରିନେଇଥିଲେ । ଯୁବକ ଜଣଙ୍କୁ ଧରି ସିଆଇଏସଏଫ କର୍ମଚାରୀ ଏୟାରଫିଲ୍ଡ ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ । ଛାତ୍ର ଜଣଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ପୁଲିସ ଜେରା ପରେ ତାକୁ ଛାଡି ଦେଇଥିବା ଜଣାପଡିଛି । ତା ନିକଟରୁ ପୁଲିସ ଏକ ବ୍ୟାଗ ଜବତ କରିଥିଲା । ଯେଉଁଥିରେ ଚାରୋଟି ବହି, ୩ଟି ମୋବାଇଲ ଫୋନ, ୱାକିଟକି, ଡାଏରୀ ଓ ୬ଟି ଫଟୋ ମିଳିଥିଲା । ଛାତ୍ର ଜଣଙ୍କ ମାନସିକ ବିକୃତି ଥିବା ତାଙ୍କ ବାପା କହିଛନ୍ତି ।

ଅନ୍ୟପଟରେ ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କେଉଁ ପରିସ୍ଥିତିରେ ସୁରକ୍ଷା ବଳୟ ଭେଦି ଏହି ଯୁବକ ଜଣକ ଭିତରକୁ ଗଲେ, ସେ ସମ୍ପର୍କରେ ଉତ୍ତର ରଖିବା ପାଇଁ ସେ କହିଛନ୍ତି ।

କ୍ରିଷ୍ଣାଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ସେ ନିଜ ଇଛାରେ କେତେବେଳେ ବିଭିନ୍ନ ଥାନା ଭିତରକୁ ପଶିଯାଉଥିଲା ତ ଆଉ କେତେବେଳେ ବିମାନ ବନ୍ଦର ପରିସରରେ ବୁଲାବୁଲି କରେ । କେବେ କେବେ ତ ଛାତ୍ର ଜଣକ ଅନେକ ଥର ରାଜ୍ୟ ବାହାରକୁ ଯାଇ ପୁଣି ଘରକୁ ଫେରୁଥିଲା । ଏହାକୁ ନେଇ ପରିବାର ଲୋକେ ଚିନ୍ତିତ ଥିବାବେଳେ ସୋମବାର କ୍ରିଷ୍ଣା ଉପରୋକ୍ତ କାଣ୍ଡ ଭିଆଇଥିଲା । ଭୋରୁ ଭୋରୁ ବିମାନବନ୍ଦରର ରନୱେ ଭିତରକୁ କିଛି ସମୟ ଚାହିବା ପରେ ହଠାତ ପାଚେରୀ ଉପରକୁ ଚଢ଼ିଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ କର୍ମଚାରୀ ତାକୁ ରୋକିବାକୁ ଉଦ୍ୟମ କରିଥିଲେ ମଧ୍ୟ ପାରିନଥିଲେ ।

କ୍ରିଷ୍ଣା ରନୱେ ଭିତରକୁ ପ୍ରବେଶ କରି କିଛି ସମୟ ଭିତରେ ଆତଙ୍କ ସୃଷ୍ଟି କରିଥିଲା । ବିମାନ ପାଖାପାଖି ମଧ୍ୟ ଚାଲିଯାଇଥିବା ଦେଖିବାକୁ ମିଳିଛି । ଏହା ଦେଖି ସିଆଇଏସଏଫ ଯବାନ ଜଣଙ୍କ ସଂଗେ ସଂଗେ କଣ୍ଟ୍ରୋଲ ରୁମକୁ ଫୋନ କରିବା ପରେ ଯବାନମାନେ ଆସି କ୍ରିଷ୍ଣାକୁ କାବୁ କରି ନେଇ ଯାଇଥିଲେ । କିଛି ସମୟ ତାକୁ ବିମାନବନ୍ଦର ଭିତରେ ଅଟକ ରଖି ପଚରାଉଚରା କରିଥିଲେ ମଧ୍ୟ ସେ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲା । ଦାୟିତ୍ୱରେ ଥିବା ସିଆଇଏସଏଫ ଏସଆଇ ପ୍ରବୀଣ କୁମାରଙ୍କ ଅଭିଯୋଗ ଆଧାରରେ କ୍ରିଷ୍ଣାକୁ ପୁଲିସ ଅଟକ ରଖିଥିଲା । ପରେ କ୍ରିଷ୍ଣାଙ୍କ ବାପା ସତ୍ୟପ୍ରିୟ ଖବର ପାଇ ପୁଅକୁ ଉଦ୍ଧାର କରିବା ପାଇଁ ଏୟାରଫିଲ୍ଡ ଥାନାକୁ ଦୌଡିଥିଲେ । ପୁଅର ମାନସିକ ଅବସ୍ଥା ଠିକ ନଥିବା ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଜୁନ ୨ ତାରିଖ ଦିନ କ୍ରିଷ୍ଣ ହାଇଦ୍ରାବାଦର ବଞ୍ଜରା ଥାନା ଅଚଂଳରେ ଏହିଭଳି ଏକ ଅଘଟଣ ଭିଆଇଥିଲା ବୋଲି ପୁଲିସ କହିଛି ।


ସେୟାର କରନ୍ତୁ