ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୋର ଗ୍ରାମରେ ହାଇସ୍କୁଲ ନିକଟରେ ହେବାକୁ ଯାଉଥିବା ନୂତନ ଭାବେ ନିର୍ମିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର ନକରିବାକୁ ବିରୋଧ କରି କନ୍ତୋର ଗ୍ରାମର ଶତାଧିକ ମହିଳାମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଏହି ମହିଳାମାନେ ପୂର୍ତ୍ତ ବିଭାଗ ରାସ୍ତାରେ ଗରା ମାଠିଆ ଧରି ସକାଳ 6 ଟାରୁ ଧାରଣାରେ ବସିଥିଲେ । ଯାହା ଫଳରେ ଏହି ରାସ୍ତାରେ ସମ୍ପୂର୍ଣ ଭାବରେ ଗମନାଗମନ ଠପ ହୋଇଯାଇଥିଲା ।

ସୂଚନା ମୁତାବକ, ପୂର୍ବରୁ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ରହିଥିଲେ ମଧ୍ୟ ସମସ୍ତ ସାହିକୁ ପାଣି ଠିକ ଭାବରେ ପହଞ୍ଚି ପାରୁନି l ଏ ନେଇ ପାଣିର ବହୁ ସମସ୍ୟା ଦେଖିବାକୁ ମିଳୁଛି l ତେଣୁ ହାଇ ସ୍କୁଲ ନିକଟରେ ଏକ ନୂତନ ଭାବରେ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେଉଅଛି l ମହିଳା ମାନଙ୍କ କହିବା ମୁତାବକ, ଏହା ଯେଉଁ ଜାଗାରେ ହେଉଅଛି ତାହା ସରକାରୀ ଜାଗା ହୋଇଥିଲେ ମଧ୍ୟ ସେହି ଗ୍ରାମର କିଛି ଯୁବକ ମେଗା ପାନୀୟ ଜଳ ପ୍ରକଳ୍ପ ସେହି ଜାଗାରେ ନକରାଇବାକୁ ବିରୋଧ କରୁଥିବା ଲୋକେ କହିଥିଲେ l ଏହା ଯେଉଁ ଜାଗାରେ ହେଉଛି, ତାହା ମଧ୍ୟ ଏହି ଗ୍ରାମର ସବୁଠାରୁ ଉଚ୍ଚା ଜାଗା l ଅନ୍ୟ ଜାଗା ଅପେକ୍ଷା ଏହି ଜାଗାରେ ଯଦି ଏହି ପ୍ରକଳ୍ପ ହୁଏ ତେବେ ପାଣି ଠିକ ଭାବରେ ପାଇପାରିବେ ବୋଲି ସେମାନେ କହିଥିଲେ l

ତେବେ ଧାରଣା ସ୍ଥଳରେ ପରଜଙ୍ଗ ପୋଲିସ, ତହସିଲ ପ୍ରଶାସନ ପହଞ୍ଚି ବୁଝା ସୁଝା ପରେ ମହିଳାମାନେ ରାସ୍ତାରୁ ଉଠିଥିଲେ l
