ବାରଙ୍ଗ: ଗତକାଲି ଠାରୁ ଦାରୁଠେଙ୍ଗ ଭୂଆଶୁଣି ଡମ୍ପିଙ୍ଗ ୟାର୍ଡ ପାଖରେ ଚିକିତ୍ସାଧୀନ ଥିବା ମାକନା ହାତୀର ମୃତ୍ୟୁ ହୋଇଛି । କର୍ମଚାରୀମାନଙ୍କ ଠାରୁ ହାତୀ ମୃତ୍ୟୁର ସୂଚ଼ନା ପାଇ ଚ଼ନ୍ଦକା ଡିଏଫଓ ବିନୋଦ ଆଚାର୍ଯ୍ୟ, ଏସିଏଫ ସଂଗ୍ରାମ କେଶରୀ ମହାନ୍ତି ଓ ରେଞ୍ଜ ଅଫିସର ଉତ୍ତମ ସାହୁ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ଲାଗି ଓୟୁଏଟି ପ୍ରାଣୀ ଚିକିତ୍ସା ବିଭାଗର ସହାୟତା ଲୋଡା ଯାଇଛି । ଓୟୁଏଟିର ଡାକ୍ତରୀ ଦଳ ଆସି ଶବ ବ୍ୟବଚ୍ଛେଦ କରୁଛନ୍ତି । ହାତୀର ପାଟି ଭିତରୁ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ କରି ରକ୍ତ ଓ ଟିସୁର ନମୂନା ସଂଗ୍ରହ କରି ପରିକ୍ଷା କରାଯିବା ପରେ ମୃତ୍ୟୁ ପ୍ରକୃତ କାରଣ କଣ ଜଣା ପଡିବ ।
ସୂଚନା ମୁତାବକ , ଶୁକ୍ରବାର ସକାଳେ ଚନ୍ଦକା ଜଙ୍ଗଲର 22 ବର୍ଷୀୟ ମାକନା ହାତୀଟି ଗୁରୁତର ହୋଇ ପଡିରହି ଥିବା ସ୍ଥାନୀୟ ଲୋକ ଦେଇବାକୁ ପାଇଥିଲେ । ଚନ୍ଦକା ବନାଞ୍ଚଳ ଅଧିକାରୀ (ରେଞ୍ଜର) ଉତ୍ତମ ସାହୁଙ୍କୁ ସୂଚ଼ନା ଦେଇଥିଲେ । ବନାଞ୍ଚଳ କର୍ମଚାରୀମାନେ ଆସି ଅନୁଧ୍ୟାନ କରିବା ପରେ ଓୟୁଏଟି ଓ ନନ୍ଦନକାନନ ଚିକିତ୍ସା ବିଭାର ସାହାୟତା ଲୋଡା ଯାଇଥିଲା । ହାତୀର ସ୍ଵାସ୍ଥ୍ୟ ଯାଞ୍ଚ କରିଥିଲେ ଓୟୁଏଟିର ବିଶେଷଜ୍ଞ ଡାକ୍ତର ଆଦିତ୍ୟ ଆଚାର୍ଯ୍ୟ ତାଙ୍କ ଦଳ ସହିତ ଓ ନନ୍ଦନକାନନର ବରିଷ୍ଟ ଚିକିତ୍ସକ ଡକ୍ଟର ଶରତ ଚନ୍ଦ୍ର ମିଶ୍ର ତାଙ୍କ କର୍ମଚାରୀ ଦଳ । ହାତୀ ପାଟି ଭିତରେ ଆଘାତ ଲାଗି କ୍ଷତ ହୋଇଥିବାର ଦେଖିବାକୁ ପାଇଥିଲେ । କୌଣସି ପ୍ରକାର ବିସ୍ଫୋରକ ଚୋବାଇ ଦେଇଥିବାରୁ ପାଟି ଭିତରେ କ୍ଷତ ହୋଇଥିବା ଅନୁମାନ କରିଥିଲେ ଡାକ୍ତରୀ ଦଳ । ହାତୀକୁ ସାଲାଇନ୍ ଓ ଆଣ୍ଟିସେଫଟିକ ଦେଇ ଚିକିତ୍ସା କରିଥିଲେ । ଚିକିତ୍ସା ହେବା ପରେ ତଳେ ଶୋଇ ରହିଥିବା ହାତୀ ଛିଡା ହୋଇଥିଲା ଓ କିଛି ବାଟ ଧୀରେ ଧୀରେ ଚାଲିଥିଲା ।