ଢେ଼ଙ୍କାନାଳ /ଓଡ଼ାପଡ଼ା : ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତକରୀ ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସଫଳତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଓଡ଼ାପଡ଼ା ବ୍ଲକ କାଣ୍ଡବିନ୍ଧା ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ରେବତୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ାପଡ଼ା ବିଡିଓ ଦିଲୀପ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇନ୍ଦୁପୁର ସେବା ସମବାୟ ସମିତିର ସଭାପତି ଅଶୋକ ମୁଦୁଲି ଓ ସମିତି ସଭ୍ୟ ରୋହିତ କୁମାର ରାଉତ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତର ଜନପ୍ରତିନିଧି,ବିଭିନ୍ନ ବିଭାଗର ଅଧିକାରୀ,ସ୍ବୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଏମ୍ବିକେ,ସିଆରପି,ମହିଳା ସ୍ବାସ୍ଥ୍ୟ କର୍ମୀ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା,ଆୟୁଷ୍ମାନ ବାୟୋ ବନ୍ଦନା,ସୁଭଦ୍ରା ଶକ୍ତି ,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ଭିବିଜି ରାମ ଜି ଯୋଜନା ସମ୍ପର୍କରେ ପିଇଓ ଜନ ସାଧାରଣଙ୍କୁ ସଚେତନତା କରିଥିଲେ । ପରେ ହିତାଧିକାରୀ ଝିଲି ଘୋଡେ଼ଇଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଡିଇଓ,ସମସ୍ତ ଗ୍ରାମ ସାଥୀ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।