କେନ୍ଦ୍ରୀୟ ବିଦ୍ୟାଳୟ କାମାକ୍ଷାନଗରର ପ୍ରଥମ ବିଦ୍ୟାଳୟ ପରିଚାଳନା ସମିତି (VMC) ବୈଠକ ସଫଳତାର ସହ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : କେନ୍ଦ୍ରୀୟ ବିଦ୍ୟାଳୟ କାମାକ୍ଷାନଗରର ନବଗଠିତ ବିଦ୍ୟାଳୟ ପରିଚାଳନା ସମିତି (VMC)ର ପ୍ରଥମ ବୈଠକ ବୁଧବାର, ୮ ଜୁଲାଇ ୨୦୨୬ ତାରିଖ ସକାଳ ୧୧ଟାରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାମାକ୍ଷାନଗରର ଉପଜିଲ୍ଲାପାଳ ତଥା ବିଦ୍ୟାଳୟ ପରିଚାଳନା ସମିତିର ମନୋନୀତ ସଭାପତି ଅଧ୍ୟକ୍ଷତା କରିଥିଲେ ।

କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ପରେ ସଭାପତି ଓ ସମିତିର ସମ୍ମାନନୀୟ ସଦସ୍ୟମାନଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ସବୁଜ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା ।

ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ (ଭାରପ୍ରାପ୍ତ) ଶ୍ରୀ ପ୍ରହ୍ଲାଦ କୁମାର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତ ସଦସ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ । ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS) ମୁଖ୍ୟାଳୟଙ୍କ ପକ୍ଷରୁ ଜାରି ବିଦ୍ୟାଳୟ ପରିଚାଳନା ସମିତି ଗଠନ ସମ୍ବନ୍ଧୀୟ କାର୍ଯ୍ୟାଦେଶ ପାଠ କରାଯାଇଥିଲା ଏବଂ ସମିତିର ଗଠନ ଓ କାର୍ଯ୍ୟକାଳକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା ।

ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମଲେଖା, ଭିତ୍ତିଭୂମି, କର୍ମଚାରୀ ସ୍ଥିତି, ଶିକ୍ଷାଦାନର ଅଗ୍ରଗତି, ପ୍ରଶାସନିକ ବ୍ୟବସ୍ଥା, ବିଦ୍ୟାଳୟର ରକ୍ଷଣାବେକ୍ଷଣ, ପ୍ରାପ୍ତ ଅର୍ଥରାଶି ଓ ବ୍ୟୟ, ଶିକ୍ଷା, ସହ-ଶିକ୍ଷା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ଭବିଷ୍ୟତ ବିକାଶମୂଳକ ପରିକଳ୍ପନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ସଭାପତି ଉପଜିଲ୍ଲାପାଳ ବିଦ୍ୟାଳୟର ସ୍ୱଳ୍ପ ସମୟ ମଧ୍ୟରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଶଂସା କରିବା ସହ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭବ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ ।

ଏହି ବୈଠକରେ ବିଶିଷ୍ଟ ଶିକ୍ଷାବିତ୍ ଡ଼. ରେଣୁକା ପଣ୍ଡା, ମହିଳା ଡିଗ୍ରୀ କଲେଜ, କାମାକ୍ଷାନଗରର ଅଧ୍ୟକ୍ଷା; ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଶ୍ରୀ ଦିନେଶ ଦାସ; କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼. ଦିଗମ୍ବର ସାହୁ; କାମାକ୍ଷାନଗର ବ୍ଲକ ବିକାଶ ଅଧିକାରୀ ଡ଼. ପ୍ରଭୁ କଲ୍ୟାଣ ଦାସ (OAS); କାମାକ୍ଷାନଗର (R&B) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ; ଶିକ୍ଷକ ପ୍ରତିନିଧି ଶ୍ରୀ ଭୋଳେଶ୍ୱର ବେହେରା; ଅଭିଭାବକ ପ୍ରତିନିଧି ଶ୍ରୀମତୀ ବ୍ରଜେଶ୍ୱରୀ ଦାସ ଓ ଶ୍ରୀ ଶ୍ରୀକୃଷ୍ଣ ପୃଷ୍ଟି ଉପସ୍ଥିତ ଥିଲେ। ପ୍ରଧାନାଚାର୍ଯ୍ୟ (ଭାରପ୍ରାପ୍ତ) ଶ୍ରୀ ପ୍ରହ୍ଲାଦ କୁମାର ମିଶ୍ର ସଦସ୍ୟ ସଚିବ ଭାବେ ବୈଠକ ପରିଚାଳନା କରିଥିଲେ ।

ସମସ୍ତ ସଦସ୍ୟ ବିଦ୍ୟାଳୟର ଶିକ୍ଷାଗତ ଉତ୍କର୍ଷ, ଭିତ୍ତିଭୂମିର ବିକାଶ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ । ଶେଷରେ ପ୍ରଧାନାଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରି ସଭାର ସମାପ୍ତି ଘୋଷଣା କରିଥିଲେ ।


ସେୟାର କରନ୍ତୁ