ଢେଙ୍କାନାଳ : ଢେଙ୍କାନାଳ ସହର ଆଖପାଖ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ି ଚାଲିଛି । ଏବେ ହାତୀ ସହର ଉପକଣ୍ଠକୁ ଚାଲି ଆସିଲେଣି । ଢେଙ୍କାନାଳ ସହରର କାଠଗଡ଼ା, ଆନନ୍ଦନଗର, ଜୁଆଙ୍ଗସାହି ଅଞ୍ଚଳରେ ଗତ ୪ ଦିନ ହେଲା ଏକ ୩ଟିକିଆ ହାତୀପଲ ଓ ଗୋଟିଏ ଛୁଆ ଥିବା ଦେଖାଯାଇଛି । ରାତିରେ ହାତୀପଲ ଚାରଖୋଲା ଜଙ୍ଗଲରେ ରହିବା ସହ ସନ୍ଧ୍ୟାହେଲେ ଜନବସତି ମୁହାଁ ହେଉଛନ୍ତି ମଙ୍ଗଳବାର କାଠଗଡ଼ାର ଅଞ୍ଚଳର ଆଇନଜୀବୀ ସୁରେନ୍ଦ୍ର ମିଶ୍ରଙ୍କ ପାଚେରି ଓ ଲୁହା ଫାଟକଙ୍କୁ ହାତୀ ଭାଙ୍ଗିଛନ୍ତି ।
ନିକଟରେ ଥିବା ବଗିଚାରେ ପଶି ଆମ୍ବ, ନଡ଼ିଆ ଓ କଦଳୀ ଗଛ ଆଦି ନଷ୍ଟ କରିଛନ୍ତି । ହାତୀ ଉପଦ୍ରବକୁ ନେଇ ସନ୍ଧ୍ୟାହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ବନ କର୍ମଚାରୀ ପହଞ୍ଚି ସକାଳେ ଓ ସନ୍ଧ୍ୟାପରେ ସତର୍କ ରହିବାକୁ ଲୋକଙ୍କୁ ସଚେତନ କରିବା ସହ ହାତୀଙ୍କୁ ଘୋଉଡ଼ାଇବାକୁ ବାଣଇ ଫୁଟାଉଥିଲେ ବି ହାତୀ ଅଞ୍ଚଳ ଛାଡ଼ି ଯାଉନଥିବା ଜଣାଯାଇଛି ।