ହିନ୍ଦୋଳ ଅଞ୍ଚଳରେ ଚୋରା ମଦ କାରବାର ବଢୁଛି

ଅପରାଧ ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେ଼ଙ୍କାନାଳ ହିନ୍ଦୋଳ ଉପଖଣ୍ଡ ଅଞ୍ଚଳରେ ଚୋରା ମଦ କାରବାର ବଢ଼ି ବାରେ ଲାଗିଛି । ଦେଶୀମଦ ତଥା ମହୁଲିଠାରୁ ଆରମ୍ଭକରି ନକଲି ବିଦେଶୀ ମଦ ଗାଁ ଗାଁରେ ବିକ୍ରି ହେଉଛି । ପାନଦୋକନଠାରୁ ଆରମ୍ଭ କରି ହୋଟେଲ,ଢାବା,ତେଜରାତି ଦୋକାନ ପ୍ରାୟ ସବୁ ସ୍ଥାନରେ ଖୁଲମଖୁଲା ମଦ ବିକ୍ରି ହେଉଛି । ପୋଲିସ୍ ଓ ଅବକାରୀ କର୍ମଚାରୀଙ୍କୁ ହାତ କରି ମଦ ମାଫିଆ ସେମାନଙ୍କ କାରବାରକୁ ସୁରୁଖୁରୁରେ ଚଳାଇଛନ୍ତି ।

ପ୍ରତିଦିନ ଗାଡ଼ି ଯୋଗେ ବେପାରୀ ଗାଁ ଗୁଡ଼ିକର ଛୋଟ ଛୋଟ ଦୋକାନୀଙ୍କୁ ମଦ ପହ‌ଞ୍ଚାଇ ଦେଉଥିବା ଦେଖ‌ିବାକୁ ମିଳୁଛି । ଅନ୍ୟପଟେ ଗାଁ ଗଣ୍ଡାରେ ହାତପାଆନ୍ତାରେ ମଦ ମିଳି ଯାଉଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ସାମନ୍ୟ କଥାରୁ କଳିଝଗଡ଼ା,ମାରପିଟ୍ ଆଦି ସହ ଚୋରି,ଛିନ୍ ତାଇ ଆଦି ଅପରାଧିକ ଘଟଣା ଘଟୁଛି । ବ୍ରାଉନସୁଗାର,ଗଞ୍ଜେଇ ନିଶା କାରବାର ମଧ୍ୟ ବଢ଼ିବାରେ ଲାଗିଛି ।

ବିଶେଷ କରି ଯୁବଗୋଷ୍ଠୀ ଏହି ନିଶା ଜାଲରେ ପଡ଼ି ବିଭିନ୍ନ ଅପରାଧୂକ କାର୍ଯ୍ୟ କରୁଛନ୍ତି । ବିଷାକ୍ତ ତଥା ଅପମିଶ୍ରିତ ମଦପିଇ ଲୋକଙ୍କ ଜୀବନ ମଧ୍ୟ ଯାଉଥିବା ଅଭିଯୋଗ ହେଉଛି । କିଛି ମାସ ପୂର୍ବେ ବେଡ଼ାପଡ଼ା ଅଞ୍ଚଳରେ ବିଷାକ୍ତ ମଦ ପିଇ ୩ ଜଣ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା । ମାତ୍ର ପ୍ରଶାସନ ଏହାକୁ ମଦମୃତ୍ୟୁ ବୋଲି ମାନିନଥିଲା । ବାଉଁଶପୋଖରୀ ସ୍ଥିତ ଏକ ଫାର୍ମହାଉସ୍‌ରେ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ବେଳେ ରାଜ୍ୟ ଫ୍ଲାଇଂସ୍ଟ୍ରାଡ୍ ଚଢ଼ଉ କରି ସେସବୁ ସାମଗ୍ରୀ ଜବତ କରିବା ସହ ଏକାଧିକ ଲୋକଙ୍କୁ ଗିରଫ କରିଥିଲା ।

ଦୀର୍ଘ ଦିନ ଧରି ନକଲି ମଦ କାରଖାନା ଚାଲିଥିବା ବେଳେ ହିନ୍ଦୋଳ ଅବକାରୀ ବିଭାଗ ଟେର୍ ପାଇପାରିନଥିଲା ନାଁ ଜାଣିଶୁଣି ଚୁପ୍ ବସିଲା ପ୍ରଶ୍ନ ଉଠିଛି । ଅବକାରୀ ବିଭାଗର ନିଷ୍କ୍ରିୟତାର ସୁଯୋଗ ନେଇ ବେଆଇନ୍ ନିଶା କାରବାର ବଢ଼ି ଚାଲିଥିବା ଅଭିଯୋଗ ହେଉଛି । ହିନ୍ଦୋଳ ଅବକାରୀ ବିଭାଗ ପକ୍ଷରୁ କଡ଼ାକଡ଼ି ଯାଞ୍ଚ,ଗୁଇନ୍ଦା ତଥ୍ୟ ସଂଗ୍ରହ,ଧରପଗଡ଼ ଆଦି କରାଯାଉନଥିବାରୁ ମଦ ମାଫିଆ ସକ୍ରିୟ ହୋଇ ସେମାନଙ୍କ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଜିଲ୍ଲା ଅବକାରୀ ଅଧୀକ୍ଷକ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।


ସେୟାର କରନ୍ତୁ