ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଗୁମର ଖୋଲିଲା ଅଭିଯୁକ୍ତ । ବାରହା ଶିକାର ପାଇଁ ବିଛା ହୋଇଥିବା ବିଦ୍ୟୁତ ତାରରେ ପଡି ଚାଲିଗଲା ନିରୀହ ନିଷ୍ପାପ ଜୀବନ । ମୃତକ ଜଣଙ୍କ ହେଲେ ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବାଲିପଶି ଗାଁର ସନାତନ ବେହେରା । ସନାତନଙ୍କ ମୃତ୍ୟୁର ରହସ୍ୟକୁ ଲୁଚେଇବା ପାଇଁ ଅଭିଯୁକ୍ତ ଶିକାରୀ ମାନେ ରଚିଥିଲେ ଗୁପ୍ତ ରହସ୍ୟ । ମୃତ୍ୟୁ ପରେ ସନାତନର ମୃତ ଦେହକୁ ପୋତି ଦେଇଥିଲେ ଅଭିଯୁକ୍ତ । ତେବେ ମୃତ୍ୟୁର ପାଞ୍ଚ ମାସ ପରେ ଗୁମର ଖୋଲିଲା ଅଭିଯୁକ୍ତ ମଦ୍ୟପ ।
ଚଳିତ ବର୍ଷ ମାର୍ଚ୍ଚ ମାସ 11 ତାରିଖ ଦିନ ବାଲିପଶି ଗାଁରେ ଦୋଳ ଯାତ୍ରା ଚାଲିଥିବା ବେଳେ ଅଭିଯୁକ୍ତ ମଦ୍ୟପ ମଦ୍ୟପାନ କରି ସନାତନ ଘରେ ପହଞ୍ଚିଥିଲା । ଆଉ ସ୍ତ୍ରୀ ରିନା ବେହେରାକୁ କାହିଁକି ଶଙ୍ଖା ଓ ସିନ୍ଦୁର ପିନ୍ଧିଛୁ ବୋଲି ପ୍ରଶ୍ନ କରିଥିଲା । ଯାହାକୁ ନେଇ ତାଜୁବ ହୋଇ ଯାଇଥିଲେ ସନାତନଙ୍କ ସ୍ତ୍ରୀ ରୀନା । ରୀନାଙ୍କ ମନରେ ସନ୍ଦେହ ଜାତ ହେଲା, ଆଉ ମଦ୍ୟପ ଅଭିଯୁକ୍ତର ସତ ଉପାଖ୍ୟାନକୁ ପାଥେୟ କରି ସାଆନ୍ଦା ଫାଣ୍ଡିର ଦ୍ୱାରାସ୍ତ ହୋଇଥିଲେ ।
ତେବେ ରୀନାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ନିଜର ତନାଘନା ଆରମ୍ଭ କରିଥିଲା । ଶେଷରେ କେନ୍ଦୁପଶି ଗାଁର ସଞ୍ଜୟ ଦେହୁରୀ ଓ ବାଲିପଶି ଗାଁର ପିଲୁ ସେଠୀକୁ ଗିରଫ କରିଥିଲା ପୋଲିସ । ଘଟଣାରେ 3 ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ସାମ୍ନାରେ ପ୍ରକାଶ କରିଛି ଅଭିଯୁକ୍ତ ।

ସୂଚନା ଥାଉକି, ବାରହା ଶିକାର କରିବା ଅଭିଯୁକ୍ତଙ୍କ ଦୈନନ୍ଦିନ ପେଷା । ପ୍ରତିଦିନ ବାଲିପଶି ହରିଡାଯୋଡି ନିକଟରେ 11 କେଭି ଖୁଣ୍ଟିରୁ ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର କରନ୍ତି ଅଭିଯୁକ୍ତ ଓ ସହଯୋଗୀ । ଆଉ ସେହି ବନ୍ୟଜନ୍ତୁଙ୍କୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରନ୍ତି ଶିକାରୀ ଟିମ । କିନ୍ତୁ ଶିକାରୀର ଶିକାର ଜାଲରେ ଜଣେ ନିରୀହ ଜୀବନ ଚାଲିଯିବ କେହି କେବେ ଚିନ୍ତା କରି ନଥିଲା । ସନାତନଙ୍କୁ ଗାଏବ କରି ଦେଇଥିଲେ ଅଭିଯୁକ୍ତ ।

ଦୁଇ ପୁଅକୁ ନେଇ ପାଞ୍ଚ ମାସ ହେବ ବହୁ ଖୋଜା ଖୋଜି କରିବା ପରେ ନିରାଶ ହୋଇଯାଇଥିଲେ ସ୍ତ୍ରୀ ରୀନା । ଅଭିଯୁକ୍ତ ମଦ୍ୟପର ବୟାନ ଆଧାରରେ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ପରଜଙ୍ଗ ତହସିଲଦାର ତଥା ମାଜିଷ୍ଟ୍ରେଟ ସିରିୟାଲ୍ ଶୁଭ୍ର ପଟେଲ, ଏସଡିପିଓ ରଞ୍ଜନ କୁମାର ଦେ ଓ ଜିଲ୍ଲା ସାଇଣ୍ଟିଫିକ ଟିମର ଉପସ୍ଥିତିରେ ମୃତ ଦେହକୁ ଉଦ୍ଧାର କରାଯାଇଛି । ଯାହାକୁ ନେଇ ତନାଘନା ଆରମ୍ଭ କରିଦେଇଛି ପରଜଙ୍ଗ ପୋଲିସ ।
