ମହିଳାଙ୍କ ସମ୍ମାନ ପ୍ରତି ଉଦାସୀନତା ମନୋଭାବ ୨୫ ବର୍ଷ ରିମୋଟ୍ କଣ୍ଟ୍ରୋଲ୍ ସରକାରର ବିଫଳତାର ନମୁନା – ଧର୍ମେନ୍ଦ୍ର ପ୍ରଧାନ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀର ରାସୋଲରେ ଜନୈକ ମହିଳାଙ୍କୁ ବିଜେଡିକୁ ଭୋଟ୍ ଦେବା ପାଇଁ ବଳପୂର୍ବକ ପ୍ରବର୍ତ୍ତାଇବା ଏବଂ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାରେ ପୋଲିସ ଡିଜି ସମ୍ପୃକ୍ତ ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଜନୈକ ମହିଳାଙ୍କ ପ୍ରତିକ୍ରିୟାର ଏକ ଭିଡିଓକୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ୨୫ ବର୍ଷର ନବୀନ ସରକାରରେ ମହିଳାମାନେ ନିର୍ଯ୍ୟାତନାର ଶୀକାର । ନବୀନ ବାବୁଙ୍କ ଶାସନରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଗରିମାର ଏଭଳି ସ୍ଥିତି ହୋଇଛି । ହିନ୍ଦୋଳ ନିର୍ବାଚନମଣ୍ଡଳୀର ରାସୋଲରେ ଘଟିଥିବା ଅଭାବନୀୟ ଘଟଣା ତା’ର ଏକ ଜ୍ୱଳନ୍ତ ପ୍ରମାଣ । ଭୋଟ୍ ସମସ୍ତଙ୍କ ନିଜସ୍ୱ ଅଧିକାର । କିନ୍ତୁ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବା ପାଇଁ ବଳପୂର୍ବକ ବାଧ୍ୟ କରିବା ଏବଂ ପ୍ରତିବାଦ କଲେ ହିଂସାକୁ ଆପଣାଇବା ବିଜେଡି ନେତାଙ୍କ ପୁରୁଣା ଅଭ୍ୟାସ, ଯାହା ଦୁର୍ଭାଗ୍ୟଜନକ । ଗଣତନ୍ତ୍ର ଅଧିକାରକୁ ବଳପୂର୍ବକ ଛଡ଼ାଇ ନେବା ତଥା ମହିଳାଙ୍କ ସମ୍ମାନ ପ୍ରତି ଏପରି ଉଦାସୀନତା ମନୋଭାବ ୨୫ ବର୍ଷ ରିମୋଟ କଣ୍ଟ୍ରୋଲ ସରକାରର ବିଫଳତାର ନମୁନା ଅଟେ ।

ନବୀନ ପଟ୍ଟନାୟକଙ୍କ ପାଖ ଲୋକ ହିଁ ତାଙ୍କୁ ଅସହାୟ କରିବା ଭଳି ପରିସ୍ଥିତି ସୃଷ୍ଟି କରିବା ସହ ବନ୍ଧକ କରି ରଖିଛନ୍ତି । ସେ ଏବେ ଗଣତନ୍ତ୍ରକୁ ବନ୍ଧକ ବନାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ମାତୃଶକ୍ତିଙ୍କ ପ୍ରତି ଏଭଳି ଉପେକ୍ଷା, ଗୁଣ୍ଡାଗର୍ଦ୍ଦି ଏବଂ ଅଶାଳୀନ ବ୍ୟବହାରକୁ ଓଡ଼ିଶା ଲୋକମାନେ କେବେ ବରଦାସ୍ତ କରିବେ ନାହିଁ । ଓଡ଼ିଆ ଅସ୍ମିତାର ଏପରି ଉପହାସ ପାଇଁ ନବୀନ ବାବୁ ଓ ବିଜୁ ଜନତା ଦଳକୁ ଓଡ଼ିଶାବାସୀ ଖୁବଶୀଘ୍ର କଡ଼ା ଜବାବ ଦେବେ। ଏହି ଘଟଣାରେ ପୋଲିସ ଡିଜି ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ତଥା ବିଜେଡି ଗୁଣ୍ଡାଙ୍କୁ ଶୀଘ୍ର ଗିରଫ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।


ସେୟାର କରନ୍ତୁ