ଜନ ଅଧିକାରକୁ ପୂରା କରିବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

କୁଚିଣ୍ଡା/ସମ୍ବଲପୁର : କୁଚିଣ୍ଡାବାସୀଙ୍କ ଅଧିକାର ପୂରା କରିବା ପାଇଁ ଦାୟିତ୍ୱ ନେବା । ଲୋକକଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା । ପ୍ରଧାନମନ୍ତ୍ରୀ ଏବଂ ବିଜେପି ପ୍ରତି ଥିବା ଆସ୍ଥାକୁ ବଜାୟ ରଖିବା ପାଇଁ ଶୁକ୍ରବାର କୁଚିଣ୍ଡାରେ ଆୟୋଜିତ ‘ବିଜୟ ସମ୍ବର୍ଦ୍ଧନା ଉତ୍ସବ’ରେ ଯୋଗଦେବା ଅବସରରେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପିକୁ ଆଶୀର୍ବାଦ କରିଥିବାରୁ କୁଚିଣ୍ଡାର ଜନସାଧାରଣ ବିଶେଷତଃ ମାତୃଶକ୍ତି ଏବଂ ଯୁବଶକ୍ତିଙ୍କୁ ଧନ୍ୟବାଦ ଜଣାଉଛି । ସ୍ୱାଧୀନତା ପରେ କୁଚିଣ୍ଡା ଅଞ୍ଚଳର ଜନପ୍ରତିନିଧି ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛନ୍ତି, ଯାହା ଅଞ୍ଚଳ ପାଇଁ ଗୌରବର ବିଷୟ । ସେ ଆହୁରି କହିଛନ୍ତି ଯେ କୁଚିଣ୍ଡା ହେଉଛି ଏକ କୃଷି ପ୍ରାଧାନ୍ୟ ଅଞ୍ଚଳ । ଏହି ଅଞ୍ଚଳରେ ପାଣି ଅଭାବ ନାହିଁ । ଉର୍ବର ଜମିର ଅଭାବ ନାହିଁ । ଏଠାରେ ଧାନ, ବିଭିନ୍ନ ରକମର ପନିପରିବା, ଜଙ୍ଗତଜାତ ଦ୍ରବ୍ୟ ଉତ୍ପାଦିତ ହେଉଛି । ଏଠାରେ ଉତ୍ପାଦିତ ହେଉଥିବା ଲଙ୍କାର ବିଶେଷ ଚାହିଦା ରହିଛି । ଏହାକୁ ବିଶ୍ୱ ବଜାରକୁ ନେବାକୁ ହେବ । କୃଷି ଶିଳ୍ପ ଭିତ୍ତିକ ଏକ କ୍ଲଷ୍ଟର କରିବାର ଯୋଜନା କରିବା । କୁଚିଣ୍ଡା ସବ୍-ଡିଭିଜନର ଗୌରବ ବଢାଇବା ପାଇଁ ଆମେ ସମସ୍ତେ କାର୍ଯ୍ୟକର୍ତ୍ତାମାନେ ନମ୍ରତାର ସହ ପରିଶ୍ରମ କରିବା । ଘରେ ଘରେ ରୋଜଗାରର ଦାୟିତ୍ୱ ନେବା । ଦାୟିତ୍ୱ ସମ୍ପନ୍ନତାର ସହ ନମ୍ରତା ବଜାୟ ରଖି ଅକଥନୀୟ ପରିଶ୍ରମ କରି ଲୋକକଲ୍ୟାଣ ପାଇଁ ସର୍ବସ୍ୱ ଉତ୍ସର୍ଗ କରିବା । କଳା, ସଂସ୍କୃତି, କ୍ରୀଡାରେ ପରିପୂର୍ଣ୍ଣ କୁଚିଣ୍ଡାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଏବଂ କୁଚିଣ୍ଡାରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ପୃଥକ ପୃଥକ ବୈଠକ କରିଥିଲେ । ବୈଠକରେ ବର୍ଷାରମ୍ଭ ସମୟରେ ପ୍ରଶାସନର ପ୍ରସ୍ତୁତି ସହ ବିଶୁଦ୍ଧ ପାନୀୟଜଳ, ସ୍ୱଚ୍ଛତାକୁ ଗୁରୁତ୍ବ, ଡ୍ରେନେଜ ବ୍ୟବସ୍ଥା, ରାସ୍ତାଘାଟ, ରାସ୍ତାପାର୍ଶ୍ବ ଆଲୋକୀକରଣ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଉପରେ ସମୀକ୍ଷା କରାଯାଇଥିଲା । ସମ୍ବଲପୁରକୁ ଅଧିକ ସ୍ୱଚ୍ଛ, ଆଧୁନିକ ଓ ବିକଶିତ ସହର କରିବା ପାଇଁ ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି ।

ସେହିପରି ଓଡ଼ିଶା ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ତଥା କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆୟୋଜିତ ବୈଠକରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । କୁଚିଣ୍ଡାରେ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଜଙ୍ଗଲ, ଜଳସେଚନ, କୃଷି ଉତ୍ପାଦିତ ସାମଗ୍ରୀ ଉପରେ ଆଲୋଚନା ହୋଇଥିଲା । ଲୋକକଲ୍ୟାଣକୁ ଗୁରୁତ୍ୱ ଦେଇ ଲୋକଙ୍କ ହିତରେ କାମ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । କୁଚିଣ୍ଡା ସବ-ଡିଭିଜନର ବିକାଶ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତି କରିବା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କୁଚିଣ୍ଡା ସ୍ଥିତ ଦୁର୍ଗା ମନ୍ଦିର ଓ ହନୁମାନ ମନ୍ଦିରରେ ଦର୍ଶନ କରିଥିଲେ ।


ସେୟାର କରନ୍ତୁ