ପରଜଙ୍ଗ : ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା 53 ନଂ ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଭୋଳାନାଥ ନାମକ ଯାତ୍ରୀବାହୀ ବସ ଧକ୍କାରେ 3 ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ, ପିନୁ ସାହୁ ଏବଂ ସୁମନ୍ତ ପରିଡା । ସମସ୍ତେ ଏକ ବାଇକ ଯୋଗେ ଛାତ ପାଇଁ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଖଇରାମୁଣ୍ଡା ଗାଁକୁ ଯାଉଥିବା ବେଳେ ଯାତ୍ରୀବାହୀ ବସଟି ଧକ୍କା ଦେଇଥିଲା ।
ଘଟଣା ସ୍ଥଳରେ ହିଁ ସାଗରଙ୍କ ମୃତ୍ୟୁ ହୋଇଥିବା ବେଳେ ପିନୁ ଏବଂ ସୁମନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ଉତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ 53 ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ତାଳଚେର -ଡ଼ୁବୁରୀ ଯାତାୟାତ ଠପ ହୋଇଯାଇଥିଲା । ଏ ନେଇ ପରଜଙ୍ଗ ପୋଲିସ ଓ ପ୍ରଶାସନ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବାପରେ ସନ୍ଧ୍ୟା 5ଟା ରାସ୍ତା ଅବରୋଧ ହଟିଥିଲା ।