ବର୍ତ୍ତମାନ ଫୋନ ପ୍ରାୟ ଲୋକଙ୍କ ହାତରେ ରହୁଅଛି । ଫୋନ ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରେ ପରିଣତ ହୋଇଅଛି । ଶେଯରୁ ଉଠିବାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ପ୍ରାୟ ଲୋକଙ୍କ ହାତରେ ଫୋନ ରହିଥାଏ । ଆମେ ଫୋନ ମାଧ୍ୟମରେ କଥା ହେବା, ଚାଟିଙ୍ଗ କରିବା ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଭିର୍ନ ପ୍ରକାରର ଘଟଣାବଳୀ ଜାଣିବା ଇତ୍ୟାଦି ବହୁ କାର୍ଯ୍ୟ କରିଥାଉ । ଯାହାକି କିଛି ଲୋକଙ୍କର ଅଭ୍ୟାସରେ ପରିଣତ ହୋଇସାରିଛି ।
ସକାଳୁ ଶଯ୍ୟା ଛାଡ଼ିବା ମାତ୍ରେ ପ୍ରଥମେ ଫୋନ୍ ଖେଳାଇବାଟା ଅନେକଙ୍କର ଅଭ୍ୟାସରେ ପରିଣତ ହୋଇଛି । ପୁଣି କେହି କେହି ସକାଳୁ ଉଠିବା ଲାଗି ଆଲାର୍ମ ଖଞ୍ଜିଥିବାରୁ ଏଭଳି ଅଭ୍ୟାସ ସୃଷ୍ଟି ହୋଇଛି । ଆଲାର୍ମକୁ ବନ୍ଦ କରିବା ସହ ଆମେ ଫୋନ୍ ଖୋଲି ସାମାଜିକ ଗଣମାଧ୍ୟମର ଘଟଣାବଳି ଜାଣିବା ଆଶାରେ ଫୋନ୍ରେ ମନୋନିବେଶ କରୁ ।
ମାତ୍ର ସକାଳେ ଫୋନ୍ ବ୍ୟବହାର କରିବାର କୁପରିଣତି ଆମ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ଏହା ମାନସିକ ସ୍ବାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହ ଚାପ, ଉଦ୍ବେଗ ଓ ଅବସାଦ ଆଦିର କାରଣ ସାଜି ଥାଏ । ଏହା ମଧ୍ୟ ଦୈନିକ ନିଦ୍ରାଚକ୍ରକୁ ପ୍ରଭାବିତ କରିଥାଏ ।
ଫୋନ୍ ପରଦାରୁ ନିର୍ଗତ ନୀଳ ଆଲୋକରଶ୍ମି ନିଦ୍ରାସୃଷ୍ଟିକାରୀ ‘ମେଲାଟୋନିନ୍’ ହରମୋନ୍ କ୍ଷରଣରେ ବାଧା ଉପୁଜାଇଥାଏ । ଫଳରେ ନିଦ ଆସିବାରେ ଅସୁବିଧା ହୋଇଥାଏ ଏବଂ ବେଳେ ବେଳେ ନିଦ୍ରାହୀନ ରାତି କାଟିବାକୁ ପଡ଼ିଥାଏ, ଯାହା ପରୋକ୍ଷରେ ସ୍ବାସ୍ଥ୍ୟ ପାଇଁ ହାନିକାରକ ।