ଢେଙ୍କାନାଳ : ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳ ଅନେକ ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ କାରଣରୁ ଆଜି ସ୍ୱତନ୍ତ୍ର ପରିଚୟ ପାଇଛି । ଏହି ପରିଚୟକୁ ଆହୁରି ବ୍ୟାପକ କରିବା ପାଇଁ ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଖେଳ ଏବଂ ଶିଳ୍ପାୟନର ବିକାଶ କରିବା ପାଇଁ ଯୋଜନା କରିବାକୁ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶୁକ୍ରବାର ବଜରଙ୍ଗ ୟୋଥ୍ କ୍ଲବ ପକ୍ଷରୁ ଢେଙ୍କାନାଳ ମିନି ଷ୍ଟାଡିୟମରେ ଆୟୋଜିତ ଢେଙ୍କାନାଳ ଉତ୍ସବ – ‘ଆଗ୍ନେୟ- ୨୦୨୫’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଢେଙ୍କାନାଳରେ ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ପଟ୍ଟନାୟକ, ‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସ, ମହେଶ ଚନ୍ଦ୍ର ସୁବାହୁ ସିଂ, ଶହୀଦ ବାଜି ରାଉତ ଓ ମୂଷା ମଲିକଙ୍କ ତ୍ୟାଗ ଓ ବଳିଦାନର ମାଟି । ସ୍ୱର୍ଗତ ନନ୍ଦିନୀ ଶତପଥୀ ଦେଶ ପାଇଁ ଗୌରବ ଆଣିଛନ୍ତି । କାମାକ୍ଷା ପ୍ରସାଦ ସିଂହଦେଓ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ଲୋକମାନଙ୍କ ପରିଶ୍ରମ, ଅବଦାନ ଓ ଦାୟିତ୍ୱ କାରଣରୁ ଢେଙ୍କାନାଳ ଜିଲ୍ଲା କ୍ରମାଗତ ଭାବରେ ସମ୍ପନ୍ନ ହେଉଛି ।
ଢେଙ୍କାନାଳ ମିନି ଷ୍ଟାଡିୟମ ଜିଲ୍ଲାରେ ଖେଳର ଏନ୍ତୁଡିଶାଳ ହୋଇଛି । ଢେଙ୍କାନାଳରେ ଖେଳର ବାତାବରଣ ତିଆରି କରାଯିବା ସହ ଶିଳ୍ପାୟନର ବିକାଶ ହେଉ । ମିଳିମିଶି ଢେଙ୍କାନାଳକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଲୋକମାନଙ୍କ ସେବା କରି ଜିଲ୍ଲାରେ ଆର୍ଥିକ ସମ୍ପନ୍ନତା ଆଣିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ ଅଛି । ସମସ୍ତେ ଭେଦଭାବ ଭୁଲି ଲକ୍ଷ୍ମୀ ପୂଜା, ଶିବ ରାତ୍ରୀ ଭଳି ଏକାଠି ହୋଇ କାମ କରିବା ପାଇଁ ସେ ଆହ୍ୱାନ କରିଛନ୍ତି ।
୨୦୩୬ରେ ଓଡ଼ିଶା ଭାଷା ଆଧାରିତ ରାଜ୍ୟ ଭାବେ ଶତବାର୍ଷିକୀ ପାଳନ କରିବ । ୨୦୪୭ ରେ ଦେଶ ସ୍ଵାଧୀନତାର ଶତବାର୍ଷିକୀ ପାଳନ କରିବ । ଏଥିପାଇଁ ଆମେ ପରିଶ୍ରମ କରି ଓଡ଼ିଶାକୁ ବିକଶିତ କରିବାକୁ ହେବ । ବିକଶିତ ଓଡ଼ିଶା ହେୱେ ଭାରତ ବିକଶିତ ହେବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।