ପରଜଙ୍ଗ : ରବିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଗ୍ରାମରେ “ମା ମଙ୍ଗଳାଙ୍କ” ପଞ୍ଚମ ଜନ୍ମ ବାର୍ଷିକ ଉତ୍ସବ ମାଘମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ମହାସମାବେଶରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ (ପୁରୁଷ ଓ ମହିଳା)ମାନେ ସ୍ଥାନୀୟ ଗୋଡି ପୋଖରୀରୁ ପୂଜାର୍ଚନା କରି ଜଳ କୁମ୍ଭ ପୂର୍ଣ୍ଣ କରି ପଟୁଆର ମେଳରେ ଗ୍ରାମ ପରିକ୍ରମା କରି ମା’ଙ୍କ ମନ୍ଦିରରେ କଳସ ସ୍ଥାପନା କରିଥିବା ଦେଖିବାକୁ ମିଳିଥିଲା ।
ତେବେ ମା”ଙ୍କ ମନ୍ଦିର ପୂଜା ସ୍ଥଳରେ କର୍ତ୍ତା ଭାବେ କୈଳାସ ଚନ୍ଦ୍ର ସାହୁ ଓ ଅନୁପମା ସାହୁ କାର୍ଯ୍ୟ ନିର୍ବାହ କରିଥିବା ବେଳେ ପୂଜକ ପ୍ରଶାନ୍ତ ଆଚାର୍ଯ୍ୟ ଓ ଶ୍ରୀକାନ୍ତ ଷଢଙ୍ଗୀଙ୍କ ଦ୍ୱାରା ପୂଜାର୍ଚନା ହୋଇଥିଲା ।

ଏହି ଉତ୍ସବ କାର୍ଯ୍ୟକ୍ରମ ଗ୍ରାମବାସୀ ଓ ସମସ୍ତ ମନ୍ଦିର କମିଟି ସଦସ୍ୟଙ୍କ ସହଯୋଗରେ ପରିଚାଳନା ହେଉଥିବା ବେଳେ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଥିଲା । ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।
ଗ୍ରାମର ପୁରୁଷ ଓ ମହିଳା ସଂକୀର୍ତନ ମଣ୍ଡଳୀ, ଲଉଡ଼ି ଖେଳ, ମାଦଳ ନୃତ୍ୟ, ଘଣ୍ଟୁଆ ବାଦ୍ୟକାରଙ୍କ ନାମ ସଂକୀର୍ତନରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପରିଶେଷରେ ମାଙ୍କ ନିକଟରେ ସନ୍ଧ୍ୟାରେ ଭୁବନେଶ୍ୱରରୁ ଆସିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।