ଏକ ପେଡ୍ ମା’ କେ ନାମ୍’ ପରିବେଶ ସୁରକ୍ଷାର ପ୍ରେରଣାଦାୟୀ ଜନଆନ୍ଦୋଳନ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର : ‘ବିଶ୍ୱ ପରିବେଶ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଏକ ପେଡ୍ ମା’ କେ ନାମ୍ ୩.୦’ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ଠାରେ ନିଜର ମା’ ଓ ପରିବାର ସଦସ୍ୟଙ୍କ ସହ ଗଛ ଲଗାଇଛନ୍ତି । ଏହାସହ ଦିଲ୍ଲୀ କାଣ୍ଟନମେଣ୍ଟ ସ୍ଥିତ ‘ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧’ ପରିସରରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି କେବଳ ଏକ କାର୍ଯ୍ୟକ୍ରମ ହୋଇ ରହିନାହିଁ, ବରଂ ଏହା ପରିବେଶ ସୁରକ୍ଷା ଓ ଭାବନାତ୍ମକ ସମ୍ପର୍କର ଏକ ପ୍ରେରଣାଦାୟୀ ‘ଜନ-ଆନ୍ଦୋଳନ’ର ରୂପ ନେଇଛି । ମା’ଙ୍କ ସମ୍ମାନରେ ବୃକ୍ଷରୋପଣ କରିବା କେବଳ ଏକ ସାଧାରଣ କାର୍ଯ୍ୟ ନୁହେଁ, ବରଂ ଏହା ଜନ୍ମଦାତ୍ରୀ ମା’ଙ୍କ ପ୍ରତି କୃତଜ୍ଞତା ଏବଂ ଧରିତ୍ରୀ ମା’ଙ୍କ ପ୍ରତି ଆମର ମିଳିତ ଦାୟିତ୍ୱବୋଧର ଏକ ସୁନ୍ଦର ପ୍ରୟାସ । ଏହି ପବିତ୍ର ଅଭିଯାନରେ ସାମିଲ ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଆସନ୍ତା ପିଢ଼ିର କଲ୍ୟାଣ ତଥା ସମୃଦ୍ଧ ଭାରତ ଗଠନ ପାଇଁ ପରିବେଶର ସୁରକ୍ଷା କରିବା ଏବଂ ଆମେ ଲଗାଉଥିବା ପ୍ରତ୍ୟେକ ଗଛର ଯତ୍ନ ନେବାକୁ ସେ ଦେଶବାସୀଙ୍କୁ ସଂକଳ୍ପବଦ୍ଧ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ସେହିପରି କେନ୍ଦ୍ରୀୟ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ ସେମାନଙ୍କୁ ବୃକ୍ଷରୋପଣର ସଚେତନତା ଉପରେ ବୁଝାଇଥିଲେ । ପରିବେଶ ସଂରକ୍ଷଣ ପ୍ରତି ପିଲାମାନଙ୍କର ସଚେତନତା, ଉତ୍ସାହ ଏବଂ ଦାୟିତ୍ୱବୋଧକୁ ପ୍ରଶଂସା କରିଥିଲେ । ଏହି ଆଲୋଚନା ଭାରତର ଏକ ସବୁଜ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଆତ୍ମବିଶ୍ୱାସ ବଢ଼ାଉଛି ବୋଲି ସେ ପ୍ରକାଶ କରିଛନ୍ତି ।


ସେୟାର କରନ୍ତୁ