ଢେଙ୍କାନାଳ : ରାଜ୍ୟରେ ଚାଲିଥିବା ଭାଜପା ଇତିମଧ୍ୟରେ ୨ବର୍ଷ ହେଲାଣି । ସରକାରକୁ ପ୍ରତ୍ୟେଜ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭାଜପାର ମିଶ୍ରଣ ପର୍ବ ପାଳନ ହେଉଛି । ଦଳର ନୀତି,ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀରେ ମୁଗ୍ଧ ହୋଇ ଅନେକ କଂଗ୍ରେସ,ଆପ୍ ଓ ବିଜେଡିର ଜର୍ମକର୍ତ୍ତା ଭାଜପାରେ ଯୋଗଦାନ କରୁଛନ୍ତି । ନିକଟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କିଛି କଂଗ୍ରେସ ଓ ବିଜେଡି ବିଧାୟକ ମଧ୍ୟ ପରୋକ୍ଷରେ ଭାଜପା ଶିବିରରେ ଯୋଗ ଦେଇଛନ୍ତି । କେବଳ ବିଧାୟକ ନୁହନ୍ତି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ଭାଜପାରେ ଯୋଗଦାନ କରି ଫୁଣି ରାଜ୍ୟ ସଭାକୁ ଯାଇଥିବାର ନଜିର ସାମ୍ନାକୁ ଆସିଛି ।
କିନ୍ତୁ ଏ ସବୁ ଭିତରେ ଗୋଟିଏ ଅଲଗା ଚିତ୍ର ଦେଖିବାକୁ ମିଳିଛି ଢେ଼ଙ୍କାନାଳ ସହରରେ ସୋମବାର ସମୟ ଦିନ ୧୧ଟାରେ ବିଜେଡିର ପୂର୍ବତନ ବିଧାୟକ ସୁଧୀର ସାମଲଙ୍କ ବାସଭବନରେ ଚାଲିଥିଲା ମିଶ୍ରଣ ପର୍ବ । ଉପସ୍ଥିତ ଥିଲେ ବିଜେଡି ଜିଲ୍ଲା ସଭାପତି ଡ.ନୃସିଂହ ସାହୁ,ସାଂସଦ ପ୍ରାର୍ଥୀ ଡ.ଅବିନାଶ ସାମଲଙ୍କ ସମେତ ପୂର୍ବତନ ବିଧାୟକ ସୁଧୀର ସାମଲ । ଢେଙ୍କାନାଳ ସଦର ବ୍ଲକ ଶଙ୍କରପୁର,ଭାପୁର, ନାଗିଆପସି,କାଇମାଟି ଓ ବେଲଟିକିରି ପଞ୍ଚାୟତର ପାଖାପାଖି ୧୦୦ରୁ ଉର୍ଦ୍ଧ ଭାଜପା କର୍ମୀ ବେକରେ ନେଳିଆ ଶଙ୍ଖ ମାର୍ଜା ଗାମୁଛା ପକାଇ ବିଜେଡିରେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିର୍ବାଚନ ମଣ୍ଡଳୀ ହେଉଛି ଢେଙ୍କାନାଳ ।
ଚାଷୀଙ୍କୁ ଧାନ ମୂଲ୍ୟରେ ସବସିଡି,ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା,ଜିଲ୍ଲାରେ ଅନେକ କଳ କାରଖାନା ସହିତ ଜିଲ୍ଲା ଭିତର ଦେଇ ଜାତୀୟ ରାଜପଥ ଯୋଜନା,କ୍ରୀଡ଼ାବିତଙ୍କ ପାଇଁ ଷ୍ଟାଡିୟମ କରିବା ସହିତ ଗରିବ ଅସହାୟ ବ୍ୟକ୍ତିଙ୍କୁ ସହାୟତା କରିବା ଏବଂ ସର୍ବୋପରି ଢେଙ୍କାନାଳରେ ମେଡିକାଲ କଲେଜ କରିବା ଭଳି କାର୍ଯ୍ୟ କରିବା ସହିତ ଗତ ୨ ବର୍ଷରେ ଯେତିକି ଉନ୍ନତିମୂଳର କାର୍ଯ୍ୟ ହୋଇଛି,ତାହା ୨୪ ବର୍ଷରେ ସମ୍ଭବ ହୋଇପାରି ନଥିଲା ବୋଲି ବାରମ୍ବାର ନିଜ ଭାଷଣରେ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଙ୍କୁ କହି ଆସିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର । କେବଳ ସେତିକି ନୁହେଁ,ରାଜ୍ୟରେ ନୂତନ ଭାଜପା ସରକାର ଆସିବା ପରଠାରୁ ବାରମ୍ବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପମାନ ସୂଚକ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବା ସହିତ ନିଜର କଥା ପାଇଁ ରାଜ୍ୟରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର । କିନ୍ତୁ ସୋମବାରର ବିଜେଡି ମିଶ୍ରଣ ପର୍ବ ପରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପାରିବାପଣିଆ ଉପରେ ଉଠିଛି ଆଙ୍ଗୁଠି ।
ଅନ୍ୟପକ୍ଷରେ ଭାଜପା ସରକାରର ମିଛ ପ୍ରତିଶ୍ରୁତିରେ ବୀତସ୍ପୃହ ହୋଇ ଏବେ ବିଜେପି କର୍ମୀଦଳ ଛାଡ଼ିଛନ୍ତି। ଆଗକୁ ଆହୁରି ଅନେକ ମଧ୍ୟ ଭାଜପା ଛାଡି ବିଜେଡିରେ ଯୋଗଦାନ କରିବେ ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ। କେନ୍ଦ୍ର,ରାଜ୍ୟ ଏବଂ ଢେଙ୍କାନାଳ ପୌର ପରିଷଦରେ ଏବେ ଭାଜପା ସରକାର ଅର୍ଥାତ ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ କାହିଁକି ଦଳୀୟ କର୍ମୀଦଳ ଛାଡ଼ୁଛନ୍ତି,ତାହା ଏବେ ଆଲୋଚନାର ବିଷୟ । ସାରା ରାଜ୍ୟରେ ବିଜେଡି ଛାଡି କର୍ମୀମାନେ ଭାଜପାରେ ଯୋଗ ଦେଉଥିବା ବେଳେ ମନ୍ତ୍ରୀଙ୍କ ଜିଲ୍ଲାରେ ଏହାର ଓଲଟା ହେବା ଏବେ ଭାଜପା ପାଇଁ ଚିନ୍ତାର ବିଷୟ ପାଲଟିଛି। ବେଳ ଥାଉଁ ସଜାଗ ନହେଲେ କେତେବେଳେ ଭାଜପା ଭାଡ଼ି ସମ୍ପୂର୍ଣ ଖାଲି ହୋଇଯିବ ଏଥିରେ ଦ୍ବିମତ ନାହିଁ ।