ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଢେଙ୍କା ଶବର – ଯାହାଙ୍କର ନାମାନୁସାରେ ଆଧୁନିକ ଢେଙ୍କାନାଳ ସହର ଓ ଜିଲ୍ଲାର ନାମକରଣ ହୋଇଛି । କୁହାଯାଏ ସପ୍ତନାଳୀ ବା ସାତ ଗୋଟି ପଲ୍ଲୀର ଶାସକ ଥିଲେ ଢେଙ୍କା ଶବର । ପ୍ରାଚୀନ ସମୟରେ ଏହି ଢେଙ୍କାନାଳ ଅଞ୍ଚଳରେ ଶବର ରାଜା ରୂପେ ସେ ଶାସନ କରୁଥିଲେ । ଅବଶ୍ୟ ତାଙ୍କ ବିଷୟରେ ବିଶେଷ କିଛି ତଥ୍ୟ ଇତିହାସରୁ ମିଳେନାହିଁ ମାତ୍ର ଜଣେ ଶବର ରାଜାଙ୍କ ନାମାନୁସାରେ ଗୋଟେ ଅଞ୍ଚଳର ନାମ କରଣ ହେବା କିଛି ଗୋଟେ ଛୋଟିଆ କଥା ନୁହେଁ ।
ଏହି ସହର ଆରମ୍ଭରେ ରହିଛି ବଳରାମ ମନ୍ଦିର । ଢେଙ୍କାନାଳ ରାଜବାଟୀ ନିକଟରେ ରହିଛି ପ୍ରସିଦ୍ଧ ସିଦ୍ଧବଳରାମ ଜୀଉଙ୍କ ମନ୍ଦିର । ଏହି ମନ୍ଦିରଟି ଅତି ପ୍ରାଚୀନ ନ ହେଲେ ବି ଷୋଡଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏକ ଭବ୍ୟ ଓ ସୁ ଉଚ୍ଚ ମନ୍ଦିର । ମନ୍ଦିର ଗର୍ଭଗୃହରେ ପାରମ୍ପରିକ ରୂପେ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମା ବଦଳରେ ଦ୍ୱାପର ଯୁଗର କୃଷ୍ଣ ବଳରାମ କଥା ଅନୁଯାୟୀ ବଳରାମ,ଶ୍ରୀକୃଷ୍ଣ,ସୁଭଦ୍ରା,ରୁକ୍ମଣୀ ଓ ସୁଦର୍ଶନ ପୂଜା ପାଉଛନ୍ତି ।
ଏଥି ସହିତ ମଦନମୋହନ,ଭୂଦେବୀ ଓ ଶ୍ରୀଦେବୀ ମଧ୍ୟ ପୂଜା ହେଉଛନ୍ତି । ଯଦୁବଂଶୀ ରାଜପୁରୁଷ ରୂପେ ଏଠାରେ ବଳରାମ ଓ ଶ୍ରୀକୃଷ୍ଣଙ୍କ ମୁଖ ମଣ୍ଡଳରେ କ୍ଷତ୍ରୀୟ ସୁଲଭ ନିଶ ଦାଢୀ ରହିଛି ଯାହାକି ଅନ୍ୟତ୍ର କେଉଁଠି ଦେଖିବା ବିରଳ। ବଳରାମଙ୍କ ବିଗ୍ରହଟି ପାଷାଣ ମଣି ବିଗ୍ରହ ହୋଇଥିବା ବେଳେ ତାଙ୍କ ମସ୍ତକରେ ସପ୍ତ ଫେଣୀ ଅନନ୍ତନାଗ ରହିଛନ୍ତି । ଇତିହାସରୁ ଯାହା ଜଣାଯାଏ,ଗଙ୍ଗବଂଶୀ ସମ୍ରାଟ ଅନଙ୍ଗଭୀମ ଦେବ ତୃତୀୟ ବଳରାମଙ୍କ ଏହି ମଣି ବିଗ୍ରହକୁ ପ୍ରାଚୀନ ଢେଙ୍କାନାଳର ନାଧରା ନିକଟ ତଳମୂଳଗଡ଼ ଅଞ୍ଚଳରୁ ଭୀମ ନଗରୀଗଡ଼କୁ ଆଣିଥିଲେ ।
ଦ୍ୱାଦଶ ଶତାବ୍ଦୀ ବେଳକୁ ଏହି ଭୀମ ନଗରୀଗଡ଼ରେ ସେ ଶାସକ ଥିଲେ। ସପ୍ତଫେଣୀ ଅନନ୍ତ ଅବତାର ଶ୍ରୀ ବିଷ୍ଣୁଙ୍କ ବଳଭଦ୍ର ରୂପୀ ଏହି ପ୍ରତିମାକୁ ପୁରୀ ନେବା ବାଟରେ ଅନଙ୍ଗଭୀମ ଦେବ,ହିନ୍ଦୋଳର ଚିତ୍ତଳପୁରଗ୍ରାମରେ ଦଶଖମ୍ବ ମଣ୍ଡପରେ ସ୍ଥାପନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଧର୍ମୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ସେହି ବିଗ୍ରହଙ୍କୁ କରଡ଼ବିନ୍ଧା ଗ୍ରାମକୁ ସ୍ଥାନାନ୍ତର କରାଯାଇ ପାତାଳି କରାଯାଇଥିଲା । ଷୋଡଶ ଶତାବ୍ଦୀ ବେଳକୁ ବେଶାଳିଆଗଡ଼ର ଶାସକ ଶ୍ରୀଧର ଭଞ୍ଜଙ୍କ ଶାସନ ସମୟରେ କିଛି ଶବରଙ୍କ ଦ୍ୱାରା ମାଟି ଖୋଳା ଯିବା ସମୟରେ ମାଟିତଳୁ ବଳରାମଙ୍କ ବିଗ୍ରହ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ଶାସକ ହରି ସିଂହ ଶ୍ରୀଧର ଭଞ୍ଜଙ୍କୁ ପରାସ୍ତ କରି ବଳରାମଙ୍କ ଦିବ୍ୟ ପ୍ରତିମାକୁ ଢେଙ୍କାନାଳ ଆଣିଥିଲେ ।
ଷୋଡଶ ଶତାବ୍ଦୀର ଶେଷାର୍ଦ୍ଧରେ ଏହି ସିଦ୍ଧ ବଳରାମ ମନ୍ଦିର ନିର୍ମାଣ କରି ଠାକୁରଙ୍କୁ ସ୍ଥାପନ କରିଥିଲେ। ରାଜା ନରସିଂହ ଭ୍ରମରବର ଓ ତାଙ୍କ ପୁତ୍ର କୁଞ୍ଜବିହାରୀ ଭ୍ରମରବରଙ୍କ ସମୟରେ ମନ୍ଦିର ମୁଖଶାଳା,ଜଗମୋହନ ଓ ମେଘନାଦ ପ୍ରାଚୀର ଆଦି ନିର୍ମାଣ ହୋଇଥିଲା । ପ୍ରାୟ ନବେ ଫୁଟ ଉଚ୍ଚ ଏହି ମନ୍ଦିରଟି ପଞ୍ଚରଥ ଶୈଳୀରେ ନିର୍ମିତ ଏକ ରେଖ ଶୈଳୀର ମନ୍ଦିର। ଗର୍ଭଗୃହର ଦକ୍ଷିଣ ପାର୍ଶ୍ୱରେ ବାମନ,ପଶ୍ଚିମରେ ନୃସିଂହ ଓ ଉତ୍ତରରେ ବରାହଙ୍କ ପ୍ରତିମା ପୂଜା ପାଉଛନ୍ତି ।
ଏତଦ ବ୍ୟତୀତ ମନ୍ଦିର ପରିସରରେ ବକୁଳେଶ୍ୱର,ମହାଦେବ,ହନୁମାନ,ଲକ୍ଷ୍ମୀ ଓ ମଙ୍ଗଳାଙ୍କ ମନ୍ଦିର ରହିଛି । ଅବଶ୍ୟ ରାଜା ସୁର ପ୍ରତାପ ଦେବଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଜଗନ୍ନାଥ ମନ୍ଦିର ସେହି ପରିସରରେ ନିର୍ମାଣ କରାଯାଇଛି । ଏହି ସିଦ୍ଧ ବଳରାମ ମନ୍ଦିରଟି ଢେଙ୍କାନାଳ ସହର ପାଇଁ ଗର୍ବ ଓ ଗୌରବ ତଥା ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ଜଗନ୍ନାଥ ମନ୍ଦିର ରୂପେ ପରିଚିତ ।