ପ୍ରକୃତି କୋଳରେ ସପ୍ତଶଯ୍ୟାର ସୌନ୍ଦର୍ଯ୍ୟ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ସଦର ବ୍ଲକ ଢେ଼ଙ୍କାନାଳ ସହରରୁ ଦକ୍ଷିଣ ଦିଗରେ ୧୨କିମି ଦୂରରେ ସପ୍ତଶଯ୍ୟା ପାହାଡ ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସପ୍ତଶଯ୍ୟା ପର୍ବତମାଳା ପୌରଣିକ ବର୍ଣନା ଅନୁଯାଇ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ପର୍ବତମାଳରେ ବସବାସ କରୁଥିଲେ । ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ସମର୍ପିତ ରଘୁନାଥ ଜୀଉ ମନ୍ଦିର ରାମ,ଲକ୍ଷ୍ମଣ,ସୀତା ମୃର୍ତ୍ତୀ ସ୍ଥାପନ ହୋଇଛି । ଏହି ମନ୍ଦିରକୁ ଢେଙ୍କାନାଳର ତତ୍କାଳୀନ ରାଜମାତା ରାଣୀ ରତ୍ନପ୍ରଭା ଦେବୀ ନିର୍ମାଣ କରିଥିଲେ । ରାମନବମୀ ସମୟରେ (ମାର୍ଚ୍ଚ-ଏପ୍ରିଲ)ରେ ଏଠାକୁ ବହୁ ଶ୍ରଦ୍ଧାଳୁ ଭକ୍ତ ଆଗମନ କରନ୍ତି । ଏକ କ୍ଷୁଦ୍ର ଝରଣା ଏହି ପ୍ରକୃତିକ ଭିବାବରେ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ସମୟ କାଟିବା ଓ ବଣଭୋଜି କରିବା ପାଇଁ ଏହି ସ୍ଥାନଟି ଅତି ମନୋରମ ଅଟେ । ଅକ୍ଟୋବରରୁ ମାର୍ଚ୍ଚ ହେଉଛି ପ୍ରକୃଷ୍ଟ ସମୟ ।

ପ୍ରାକୃତିକ ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭରା ସାତଟି ପାହାଡର ମିଶ୍ରଣ ସ୍ଥଳକୁ ସପ୍ତଶଯ୍ୟା କୁହାଯାଏ । ଶଯ୍ୟା ପରି ସାତଟି ପାହାଡର ମିଶ୍ରଣ ହୋଇଥିବାରୁ ଏହି ସ୍ଥାନର ନାମ ସପ୍ତଶଯ୍ୟା ହୋଇଛି । ବାଣୀ, ପାଣି,ଶିଳା,ତଗମରା,ଭୁଆଶୁଣି,ଦେଉଳ ଓ ଅନ୍ତୁଡି ନାମକ ସାତଗୋଟି ପହାଡ଼ କ୍ରମାନ୍ୱୟରେ ରହିଛି । ଏକଦା ଏହା ମୂନୀଋଷିମାନଙ୍କ ସାଧନା ସ୍ଥଳ ଥିଲା। ଏହାର ସକାଳ ଓ ସନ୍ଧ୍ୟା ସମୟର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ ଓ ମନଲୋଭା। ସମୁଦ୍ର ପତନଠାରୁ ୯୦୦ ଫୁଟ ଉଚ୍ଚତାରେ ପ୍ରଭୁ ରାମ ସୀତା ଓ ଲକ୍ଷ୍ମଣଙ୍କ ଗୋଟିଏ ମନ୍ଦିର ଅଛି। ମନ୍ଦିର ଠାରୁ ୨୦୦ ମିଟର ଉପରକୁ ଗଲେ ସୀତା ଦେବୀଙ୍କ ଏନ୍ତୁଡିଶାଳ ଅଛି। ଏହି ପାହାଡର ମିଶ୍ରଣ ସ୍ଥଳରେ ସପ୍ତର୍ଷି ନାମକ ଏକ ଆଶ୍ରମ ଅଛି ।

ସପ୍ତଶଯ୍ୟା ବିଷୟରେ ଏକ ପୈାରାଣିକ କାହାଣୀ ରହିଛି,ପାଣ୍ଡବଙ୍କ ୧୨ ବର୍ଷ ବନବାସ ମଧ୍ୟରୁ ଏକ ବର୍ଷ ଅଜ୍ଞାତବାସ ଏହିଠାରେ କଟାଇଥିଲେ। ମନ୍ଦିର ଭିତରେ ଶ୍ରୀ ରଘୁନାଥ ଜିଉ ପୂଜା ପାଉଛନ୍ତି । ଏଠାରେ କଳ୍‌କୀ ମନ୍ଦିର ୧୯୮୫ରେ,ଶ୍ରୀ ରାମେଶ୍ୱରମ୍ ଶିବ,ଶ୍ରୀଗଣେଶ ମନ୍ଦିର,ଶ୍ରୀମହାବୀର ମନ୍ଦିର ଓ ନବଗ୍ରହ ମନ୍ଦିର ତିଆରି ହେଲା ୧୯୮୨ରେ ମା ଅନ୍ନପୂର୍ଣ୍ଣା ଦେବୀଙ୍କ ମନ୍ଦିର ନିର୍ମିତ ହୋଇଥିଲା। ମହାକାଳୀ,ମାତା ସରସ୍ୱତୀ ଓ ଶ୍ରୀ ନୃସିଂହ ମନ୍ଦିର ଗୁଡିକ ପବିତ୍ର ସ୍ଥଳରେ ନିର୍ମିତ ହୋଇଛି। ସଙ୍ଗମ ସ୍ଥଳରୁ ଏକ ସୁନ୍ଦର ଝରଣା ବାହାରି ତଳକୁ ଝରି ଆସିଛି ଯାହାକି ସୌନ୍ଦର୍ଜ୍ୟକୁ ଆଉ ଟିକେ ମନଲୋଭା କରିଥାଏ। ପ୍ରତିବର୍ଷ ଶ୍ରୀରାମ ନବମୀରେ ବିଶ୍ୱଶାନ୍ତି ଯଜ୍ଞ ଓ ରଜ ପର୍ବ ପାଳିତ ହୁଏ ।


ସେୟାର କରନ୍ତୁ