ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ହିନ୍ଦୋଳ ରୋଡ୍ ନିକଟସ୍ଥ ଏକଘରିଆ ଅଞ୍ଚଳରେ ଅବସ୍ଥିତ ଏକ ପ୍ରସିଦ୍ଧ ଓ ନୂତନ ଭାବେ ଗଢ଼ିଉଠିଥିବା ଜଗନ୍ନାଥ ପୀଠ । ଢେଙ୍କାନାଳ ଜିଲ୍ଲାର ଏହି ସ୍ଥାନଟିକୁ ସ୍ଥାନୀୟ ଶ୍ରଦ୍ଧାଳୁମାନେ “ଶରଣ ଶ୍ରୀକ୍ଷେତ୍ର” ଭାବେ ନାମିତ କରିଛନ୍ତି । ଏହି ପୀଠର କିଛି ମୁଖ୍ୟ ବିଶେଷତ୍ୱ ୧. ଅବିକଳ ଦ୍ୱିତୀୟ ପୁରୀ ମନ୍ଦିର: ଏହି ମନ୍ଦିରର ସ୍ଥାପତ୍ୟ ଏବଂ ଗଠନ ଶୈଳୀ ପୁରୀର ଶ୍ରୀମନ୍ଦିର ସହିତ ବହୁତ ସାଦୃଶ୍ୟ ରଖେ । ଏଠାରେ ଚତୁର୍ଦ୍ଧାମୂର୍ତ୍ତି (ପ୍ରଭୁ ଜଗନ୍ନାଥ,ବଳଭଦ୍ର,ଦେବୀ ସୁଭଦ୍ରା ଓ ସୁଦର୍ଶନ) ପୂଜା ପାଉଛନ୍ତି । ଏହି ଭବ୍ୟ ମନ୍ଦିରର ସୁନ୍ଦର କାରୁକାର୍ଯ୍ୟ ଏବଂ ଆଧ୍ୟାତ୍ମିକ ପରିବେଶ ଭକ୍ତମାନଙ୍କୁ ଆକୃଷ୍ଟ କରିଥାଏ ।
୨.ଅବସ୍ଥିତି: ଏହା ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରୋଡ୍ ରେଳଷ୍ଟେସନ ଠାରୁ ଅଳ୍ପ ଦୂରରେ ଏକଘରିଆ ଗ୍ରାମ ନିକଟରେ ଅବସ୍ଥିତ। ଏହା ପ୍ରକୃତିର ଶାନ୍ତ ପରିବେଶ ମଧ୍ୟରେ ଗଢ଼ି ଉଠିଛି। ୩.ପର୍ବପର୍ବାଣୀ: ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ଏଠାରେ ମଧ୍ୟ ପ୍ରତିବର୍ଷ ବହୁ ଆଡ଼ମ୍ବରରେ ରଥଯାତ୍ରା,ସ୍ନାନପୂର୍ଣ୍ଣିମା ଏବଂ ଅନ୍ୟାନ୍ୟ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ସମସ୍ତ ପର୍ବପର୍ବାଣୀ ପାଳନ କରାଯାଏ । ରଥଯାତ୍ରା ସମୟରେ ଏଠାରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥାଏ । ଢେଙ୍କାନାଳ ଏବଂ ଏହାର ଆଖପାଖ ଅଞ୍ଚଳର ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ପାଇଁ ଏହି ଶରଣ ଶ୍ରୀକ୍ଷେତ୍ର ଏକ ପ୍ରମୁଖ ଆଧ୍ୟାତ୍ମିକ ଏବଂ ଦର୍ଶନୀୟ ସ୍ଥାନ ପାଲଟିଛି । ଏକଘରିଆ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଆମ୍ର କାନନ ମଧ୍ୟରେ ଅବସ୍ଥିତ ଶରଣ ଶ୍ରୀକ୍ଷେତ୍ର ।
ଏହି ‘ଶରଣ ଶ୍ରୀକ୍ଷେତ୍ର’ଶବ୍ଦ ଭିତରେ ଲୁଚି ରହିଛି ଐତିହାସିକ କାହାଣୀ। ଓଡ଼ିଆ ସାହିତ୍ୟର ରୀତିଯୁଗ ନାମରେ ସପ୍ତଦଶ ଶତାବ୍ଦୀ ଖ୍ୟାତ କବି ଦୀନକୃଷ୍ଣ ଦାସଙ୍କ ଜନ୍ମ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ନିକଟସ୍ଥ ସୁବର୍ଣ୍ଣରେଖା ନଦୀକୂଳ ଗାଁ ମୁଣୁତୁଣିଆରେ ଯୁବକ ଅବସ୍ଥାରେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ ଶ୍ରୀକ୍ଷେତ୍ର ଚାଲି ଆସିଥିଲେ । ତାଙ୍କ କାବ୍ୟ କବିତା ରଚନା ଜୀବନର କଣ୍ଟା ହେଲା । କବିଙ୍କ ପ୍ରଶଂସା ସହି ନପାରି କେତେକ ସ୍ବାର୍ଥବାଦୀ ବୈଷ୍ଣବ ରାଜାଙ୍କ ପାଖରେ ଦୀନକୃଷ୍ଣ ଦାସଙ୍କ ବିରୋଧରେ କହିଥିଲେ । ରାଜା ଦିବ୍ୟସିଂହ ଦେବଙ୍କ ରୋଷର ଶିକାର ହୋଇ କବି କାରାଦଣ୍ଡ ବରଣ କଲେ କିନ୍ତୁ କବିଙ୍କ ପ୍ରଗାଢ଼ ଜଗନ୍ନାଥ ଭକ୍ତି ନିକଟରେ ରାଜଶକ୍ତି ହାରିଥିଲା ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ ରାଜା ସ୍ଵପ୍ନାଦେଶ ପାଇ କବିଙ୍କୁ ମୁକ୍ତ କରିଦେଲେ । ଦୀନକୃଷ୍ଣ ଦାସ ଶ୍ରୀକ୍ଷେତ୍ର ଛାଡ଼ି ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀକୂଳରେ ଥିବା ଏକଘରିଆ ଗାଁକୁ ଚାଲି ଆସିଥିଲେ । ସେଠାରେ ରହି ଅନେକ କାବ୍ୟକବିତା ସହିତ ଗ୍ରନ୍ଥ ରଚନା କରିଥିଲେ । କବିଙ୍କର ଅନେକ ଭଜନ ଜଣାଣ ଓଡ଼ିଶାର ପୁରପଲ୍ଲୀରେ ବେଶ ଜନାଦୃତ ଏହି ସବୁ ଗ୍ରନ୍ଥ,ଭଜନ,ଜଣାଣ ଏକଘରିଆ ଗାଁରେ ରହି ରଚନା କରିଥିଲେ । ଏହି ସ୍ଥାନରେ ସାଧନାସ୍ଥଳୀ ଭାବେ ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ରହିଥିଲେ । ଭକ୍ତି ବଳରେ ଏଠାରେ ଜଗନ୍ନାଥଙ୍କ ଦର୍ଶନ ଲାଭକରି ଭକ୍ତକବି ଭାବେ ପରିଚିତ ହେଲେ ।
ତେଣୁ,ସ୍ଥାନର ନାମ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସାଧାନା ପୀଠ‘ଶରଣ ଶ୍ରୀକ୍ଷେତ୍ର’ରଖାଯାଇଛି। ଏକଘରିଆ ଗାଁରେ କବିଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପ୍ରତ୍ୟେକ ବର୍ଷ ଉତ୍ସବ ପାଳିତ ହୋଇଆସୁଛି । ସ୍ଥାନୀୟ ବାସିନ୍ଦା ଚିଷ୍ଣୁ ବାବା ଓ ଏକଘରିଆ ଗ୍ରାମବାସୀଙ୍କ ସହଯୋଗରେ ଆଜି ସେହି ସ୍ଥାନରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି। ଶରଣ ଶ୍ରୀକ୍ଷେତ୍ରରୁ ତୁଳସୀ ଦୟାଣ,ବିଭିନ୍ନ ଫୁଲଫଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ହେବାକୁ ଚିଷ୍ଣୁ ବାବାଙ୍କ ଦ୍ବାରା ଶ୍ରୀକ୍ଷେତ୍ରକୁ ଯାଉଛି ।
ନବ ନିର୍ମିତ ଜଗନ୍ନାଥ ମନ୍ଦିର ପଶ୍ଚିମ ପଟେ ନାଧରା ଗ୍ରାମରେ ବହୁ ପୁରାତନ ବାବା ଗୋକନକେଶ୍ଵର ମହାଦେବ ମନ୍ଦିର,ପ୍ରତ୍ୟକ୍ଷ ଦେବୀ ମା’ ସିଦ୍ଧ ରାମଚଣ୍ଡୀ ମନ୍ଦିର ଓ ବାବା ରଣେଶ୍ଵର ମହାଦେବ ମନ୍ଦିର ରହିଛି । ବର୍ଷ ତମାମ ଏହି ପବିତ୍ରସ୍ଥଳକୁ ଭକ୍ତଙ୍କ ଆଗମନ ହୋଇଥାଏ । ବିଶେଷ କରି,ବଣଭୋଜି କରିବାପାଇଁ ଏହି ସ୍ଥାନଟି ବେଶ ଅନୁକୂଳ ୫୫ ନଂ ଜାତୀୟ ରାଜପଥରୁ ୫ କିମି ଦୂର ମଧ୍ୟରେ ରହିଥିବାରୁ ଗମନାଗମନର ସୁବିଧା ରହିଛି ।