କୃଷ୍ଣଚୁଡ଼ା ଫୁଲର ସମ୍ଭାର,ପଥଚାରୀଙ୍କୁ କରୁଛି ଆକର୍ଷିତ

ରାଜ୍ୟ
ସେୟାର କରନ୍ତୁ

ଢେ଼ଙ୍କାନାଳ : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଢୁ ଥିବାବେଳେ ପ୍ରକୃତିରାଣୀ କୋଳରେ ନିଆରା ସୌନ୍ଦର୍ଯ୍ୟ ବିଛାଇ ଦେଇଛି କୃଷ୍ଣଚୁଡ଼ା ଫୁଲ। ନିଆଁ ଭଳି ଲାଲରଙ୍ଗର ଫୁଲରେ ଭରି ଉଠିଥିବା କୃଷ୍ଣଚୁଢ଼ା ଗଛ ଓ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭାପୁର ଗ୍ରାମର ସୋଲ ପୋଖରୀ,ବଣିଆସାହି ତାରେଣୀ ମନ୍ଦିର ପାଖରେ କାକୁଡ଼ିଭାଗ ଗ୍ରାମର ସୁଦାମ ତୋଟା ପରିସର ଓ ୪୨ନଂ ରାଜ୍ୟ ରାଜପଥ କଡ଼ରେ କୃଷ୍ଣଚୂଡ଼ା ଫୁଲର ସମାହାର ଦେଖିବାକୁ ମିଳୁଛି ।

ଏହା ଖରାଦିନେ ଶୁଖୁଲା ପଡ଼ିଥିବା ପରିବେଶକୁ ଜୀବନ୍ତ କରିବାକୁ ଚେଷ୍ଟା କରୁଛି । ସେଥିରେ ପୁଣି ଗଛ ତଳେ ଝଡି ପଡ଼ିଥିବା ଲାଲଫୁଲର ଗାଲିଚା ଲୋକଙ୍କ ମନକୁ ବିମୋହିତ ଫଳରେ କରିଦେଉଛି। ଯୁବପିଢିଙ୍କ ପାଇଁ ଏହା ରିଲିସ ପଏଣ୍ଟ ପାଲଟିଛି। ପରିବେଶବିତ୍‌ଙ୍କ କହିବା ମୁତାବକ କିଛିଦିନ ପୂର୍ବରୁ କୃଷ୍ଣଚୂଡ଼ା ଗଛରେ କେବଳ ଲାଲରଙ୍ଗର ଫୁଲ ଦେଖାଯାଇଥିଲା । ଏବେ ତା’ଭିତରେ ସବୁଜ ପତ୍ରର ସମାହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି। ଗ୍ରୀଷ୍ମଋତୁର ଶେଷ ଭାଗରେ କୃଷ୍ଣଚୁଡ଼ା ଫୁଲର ଏହି ରଙ୍ଗୀନରୂପ ବର୍ଷା ଆଗମନର ବାର୍ତ୍ତାବହ ସାଜିଛି ।

ବର୍ଷାକୁ ଅପେକ୍ଷା କରି କୃଷ୍ଣଚୁଡ଼ା ସତେ ଯେମିତି ପ୍ରକୃତିର ଏକ ଜୀବ । ପତ୍ରଠାରୁ ଅଧିକ ଜୀବନ୍ତଚିତ୍ର ପାଲଟି ଯାଇଛି । ପତ୍ର ଭରି ଉଠିଥିବା ଫୁଲରେ ବା ଏହି ଗଛ ପ୍ରକୃତିକୁ ଏକ ନିଆରା ରୂପ ପ୍ରଦାନ କରୁଛି । ଏହାର ମନୋହର ସୌନ୍ଦର୍ଯ୍ୟ ପଥଚାରୀଙ୍କୁ ଆକର୍ଷିତ କରୁଛି । ପ୍ରକୃତିର ଏହି ନିଆରା ଉପକାରକୁ ସୁରକ୍ଷା ଦେବ ସହ ଅଧିକରୁ ଅଧିକ ଚାରା ରୋପଣ କରାଯିବା ଆବଶ୍ୟକ‌ତା ରହିଛି । ଏହାର ରକ୍ତିମ ରୂପ ଗ୍ରୀଷ୍ମଋତୁକୁ ନିଆରା ପରିଚୟ ପ୍ରଦାନ କରିଥାଏ । ପଥପାର୍ଶ୍ବର ବନୀକରଣ ନାଁରେ ଅନ୍ୟାନ୍ୟ ଗଛକୁ ପ୍ରାଧାନ୍ୟ ଦିଆଯାଉଥିଲେ ମଧ୍ୟ କୃଷ୍ଣଚୁଡ଼ା ଗଛର ସ୍ଥାନ ସ୍ବତନ୍ତ୍ର ରହିଛି। ବନ ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳର ପରିବେଶବିତ୍ ମହେଶ୍ବର ସାହୁ ଦାବି କରିଛନ୍ତି ।


ସେୟାର କରନ୍ତୁ