ଢେଙ୍କାନାଳ : ଢେ଼ଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ତଥା ବିଲମାଳରେ ବର୍ଷାଦିନ ଆସିବା ମାତ୍ରେ ବହୁ ପରିମାଣରେ ନାଲି ସାଧବବୋହୂ ଦେଖା ଦେଉଥିଲେ । ହେଲେ ଏବେ ଏହା ବିରଳ ହୋଇଗଲାଣି କହିଲେ ଚଳେ,ବିଲମାଳ,ବଣ,ପାହାଡ଼,ପଡ଼ିଆ,ଜମିହୁଡ଼ା,ନଦୀବନ୍ଧ ଓ ଘାସପଡ଼ିଆ ଗୁଡ଼ିକରେ ସାଧବବୋହୂଙ୍କ ଉପସ୍ଥିତି ବର୍ଷାଦିନିଆ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଥିଲା। ତେବେ ପରିବେଶ ସନ୍ତୁଳନ ଅଭାବରୁ ଏମାନେ ସେତେ ପରିମାଣରେ ଦେଖବାକୁ ମିଳୁନାହାନ୍ତି ।
ନାଲି ଭେଲ୍ ଭେଟ୍ ପରି ଦେଖାଯାଉଥିବା ଏହି ପାଟପୋକ ମୌସୁମୀର ଆଗମନ ସହିତ ଗ୍ରାମ ଗ୍ରାମାଞ୍ଚଳରେ ଦେଖାଯାଉଥିଲେ। ବର୍ଷା ମାଟିକୁ ଛୁଇଁବା ପରେ ମାଟିକୋଳରୁ ଜନ୍ମ ନେଉଥିବା ଏହି ପୋକର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଥିଲା। କେବଳ ଏତିକି ନୁହେଁ,ଚାଷୀମାନେ ଜମିରେ ଅଖିମୁଠି ଅନୁକୂଳ କଲାବେଳେ ଏହି ପୋକ ଚାଷଜମିରୁ ବାହାରିଲେ ଜମି ଉର୍ବର ବୋଲି ବିଶ୍ଵାସ କରାଯାଉଥିବା ଯୁବ ସାମ୍ୱାଦିକ,ପ୍ରକୃତି ପ୍ରେମୀ ତଥା ପରିବେଶବିତ୍ ମହେଶ୍ବର ସାହୁ କହିଛନ୍ତି ।
ଏମାନେ ଘାସ ପଡ଼ିଆରେ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାନ୍ତିI କୁନି କୁନି ପିଲାମାନେ ଏହି ଲାଲ୍ ଟୁକୁଟୁକୁ ସାଧବବୋହୂକୁ ହାତରେ ଧରିଆଣି ସାରୁପତ୍ର ଓ ଫରୁଆରେ ରଖି ବେଶ୍ ମଜା ନେଇଥାନ୍ତି ବୋଲି ପରିବେଶବିତ୍ ଶ୍ରୀ ସାହୁ କୁହନ୍ତି । ତେବେ ବଦ୍ଧିତ ତାପମାତ୍ରା,ବର୍ଷାର ଅନିୟମିତତା ସାଙ୍ଗକୁ ଚାଷଜମିରେ ମାତ୍ରାଧିକ ରସାୟନିକ ସାର ଓ କୀଟନାଶକ ପ୍ରୟୋଗ ଫଳରେ ଏହି ସୁନ୍ଦର ପୋକ ନଷ୍ଟ ହୋଇଗଲେଣି ବୋଲି ଶ୍ରୀ ସାହୁ ମତ ଦେଇଛନ୍ତି ।