ଢେ଼ଙ୍କାନାଳ : ଏବେ ୮୦ ଦଶକର ପୁରୁଣା ଗାଡ଼ି ଶଗଡ଼ ଗାଡ଼ି ଯାହା ଦିନେ ଚାଷ ପାଇଁ ଓ ଚାଷୀ ଭାଇ ମାନଙ୍କ ଏକ ଅତ୍ୟନ୍ତ ଆବଶ୍ୟକ ଜିନିଷ ଥିଲା,କିନ୍ତୁ ବର୍ତ୍ତମାନ ସମୟରେ ତାହା ସତେ ଯେମିତି ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇ ପଡିଛି । ସତେ ଯେମିତି ଅସ୍ତିତ୍ବ ହରାଇବାକୁ ବସିଲାଣି ଏହି ଶଗଡ଼ ଗାଡ଼ିଟି କାହିଁକି ନା ବର୍ତ୍ତମାନ ସମୟରେ ମଣିଷ ଆଧୁନିକତାର ପରିଚୟ ଦେଇ ତାହା ସହିତ ଖାପ ଖୁଆଇ ଚାଲିଛି । ଗାଁ ଦାଣ୍ଡରେ ଗଡ଼ୁନି ଆଉ ସେ ବଳଦ ଚଲା ଶଗଡ଼ ଗାଡ଼ି ଗାଁ କ୍ଷେତରେ ଆଗଭଳି ଆଉ ହଳ ଲଙ୍ଗଳ ଦିଶୁନି କି ବଳଦଙ୍କ ହମ୍ବା ରଡ଼ି ଶୁଭୁନି । ଏଇ ଆଧୁନିକ ସମୟରେ ଶଗଡ଼ର ସ୍ଥାନ ଅଧିକାର କରିଛି ଆଧୁନିକ ଯନ୍ତ୍ରପାତି । ପୂର୍ବରୁ ଚାଷୀ ପୁଅ ହଳ ବାନ୍ଧି,କାନ୍ଧରେ ଲଙ୍ଗଳ ଧରି ଜମିରେ କାଳିଆ କସରା ଗୀତ ଗାଇ ଚାଷ କରୁଥିଲା । କିନ୍ତୁ ଆଜି ସେ ସବୁ ହଜି ଯାଇଛି ।
ଏବେ ଜମିରେ ଲଙ୍ଗଳ ବଦଳରେ ବୁଲୁଛି ଯାନ୍ତ୍ରିକ ମେସିନ । ଏହି ଯାନ୍ତ୍ରିକ ମେସିନ ଗାଡ଼ିର ଘଡ଼ ଘଡ଼ କର୍କଶ ଶବ୍ଦରେ କର୍ଣ୍ଣ ଯେପରି ଫାଟି ପଡୁଛି । କଣ ଠେଲା ହୋଇ ପଡିଛି ଚାଷୀ ପୁଅର ସେଇ ପରିଚୟ ପାଲଟି ଥିବା ଶଗଡ଼ ଗାଡ଼ି । ହଳ ଲଙ୍ଗଳ ପରି ଆଜି ଶଗଡ଼ ବି ସ୍ମୃତି ପାଲଟି ଯାଇଛି । ଚାଷୀ ପୁଅ ପାହାନ୍ତିଆ ସମୟରେ ଚାଷ କାମରେ ଯାଉଥିବା ବେଳେ ଶଗଡ଼ ଗାଡ଼ିର କେଁ କେଁ କଟର କଟର ଶବ୍ଦ ସାଙ୍ଗକୁ ଶଗଡ଼ ଚକ ରାସ୍ତାରେ ଗଡ଼ୁଥିବାର ଧଡ୍ ଧାଡ ଶବ୍ଦ ନିଦ ଭାଙ୍ଗି ଦେଉଥିଲା ।
ଚାଷ ଜମିରୁ ଖାଦ୍ୟ ସଷ୍ୟ ଶଗଡ଼ ଗାଡ଼ିରେ ବୋହି ଆଣି ବର୍ଷଯାକର ବିହନ ଡୋଲି ପେଟିରେ ସାଇତି ରଖୁଥିଲା ଚାଷୀ । ପୁଣି ଦିନ ଥିଲା ଶଗଡ଼ ଗାଡ଼ିରେ ନୂଆଁ କନିଆ ବସି ତାର ଶାଶୁ ଘରକୁ ଯାଉଥିଲା । ଲଙ୍ଗଳ ସହିତ ଶଗଡ଼ ଗାଡ଼ିର ଚକ,ଅଖ ଓ ଦଣ୍ଡା ଏବେ ଘର ପଛ ପାଖରେ ପଡ଼ିରହି ତାର ଅସ୍ତିତ୍ଵ ହରାଉଛି । ଆଜିର ସମୟରେ କେବଳ ବର୍ଣ୍ଣବୋଧ ବହିରେ ଚକ,ଅଖ ଓ ଶଗଡ଼କୁ ଚିହ୍ନା ଯାଉଛି । ସତେ ଯେମିତି ଶଗଡ଼ କିମ୍ବା ଚକ ସମୟ ଚକରେ ସବୁ ଯେମିତି ଲୀନ ହୋଇଗଲାଣି। ଏବେର ମଣିଷ ଆଧୁନିକ ମାଟି,ପାଣି,ପବନରେ ଖାପ ଖୁଆଇ ଚାଲି ଚାଲି ନାନାଦି ରୋଗରେ ପଡି ଛଟପଟ ହେଉଛି ।
ମଣିଷ ଆଧୁନିକତା ଓ ପାରମ୍ପାରିକତା ମଧ୍ୟରେ ସାମଞ୍ଜସ୍ୟ ରଖି ଚାଲିଲେ ଖୁସି ଓ ସୁସ୍ଥ ଜୀବନଯାପନ କରି ପାରିବ ବୋଲି ମତ ରହିଛି। ଆଧୁନିକତାର ଚାକଚକ୍ୟ ଗ୍ରାମୀଣ ଶାନ୍ତିପୂର୍ଣ୍ଣ ପରିବେଶକୁ ସତେ ଯେମିତି ହଜାଇ ଦେଇଛି । ସମୟର ଅନ୍ତରେ ହଜିଯାଇଛି ସେ ପୁରୁଣା ଦିନ । ଏବେ ଇତିହାସ ହେବାକୁ ବସିଲାଣି ଗ୍ରାମୀଣ ସଂସ୍କୃତି,ଗାଁ ଦାଣ୍ଡରୁ ହଜି ଯାଇଛି ଶଗଡ଼ ଓ ଲଙ୍ଗଳର ଚିହ୍ନବର୍ଣ୍ଣ । ଆଗାମୀ ପିଢ଼ି ମାନଙ୍କ ପାଇଁ ଏହା ଜ୍ଞାତରେ ରହିବ ନା ଇତିହାସ ହୋଇ ରହିଯିବ।