କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ରହଣୀସ୍ଥିତ ସଂସ୍କାର ପବ୍ଲିକ୍ ସ୍କୁଲ ଓ ଖାରବେଳ ଏକାଡେମୀ ପରିସରରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ନିଶାସକ୍ତି ବିରୋଧୀ ଜନସଚେତନତା କାର୍ଯ୍ୟକ୍ରମ ‘ନିଶାମୁକ୍ତ ଭାରତ ଅଭିଯାନ’ କାମାକ୍ଷାନଗର ଥାନା ପକ୍ଷରୁ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଖଣ୍ଡର ଅତିରିକ୍ତ ଆଇଆଇସି ପୂର୍ଣ୍ଣଚନ୍ଦ୍ର ରାଉତ ଓ ସବ୍-ଇନ୍ସପେକ୍ଟର ଟି.ଏ. ଖାନ୍ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ, ନିଶାସକ୍ତିର ସାମାଜିକ ପରିଣାମ ଏବଂ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ସଚେତନ କରିଥିଲେ ।
ଏହି ଅବସରରେ ଉଭୟ ଶିକ୍ଷାନୁଷ୍ଠାନର ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ସଂସ୍କାର ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଶାନ୍ତନୁ ଚାଟାର୍ଜୀ ଓ ଖାରବେଳ ଏକାଡେମୀର ଅଧ୍ୟକ୍ଷ ଅନିଲ କୁମାର ଜେନା ଉପସ୍ଥିତ ରହି କାମାକ୍ଷାନଗର ଥାନା ପକ୍ଷରୁ ଆୟୋଜିତ ଏହି ସଚେତନତାମୂଳକ ପଦକ୍ଷେପକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ । ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖି ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଏଭଳି ସଚେତନତାମୂଳକ ପଦକ୍ଷେପର ଗୁରୁତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଥିଲା ।