ଖୋଜା ଚାଲିଛି ରତ୍ନଭଣ୍ଡାର ଚାବି, ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ । କ’ଣ ନା ଚାବି ଗଲା କୁଆଡେ? ଆମେ କହୁଛୁ ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିଥିବା କଥା । ଯାହା ଖୋଜିଲେ ବି ମିଳୁନି । ରତ୍ନଭଣ୍ଡାରରେ ତାଲା ପଡିଛି । କିନ୍ତୁ ଚାବି ନାହିଁ । ଗତ ୩ଦିନ ଧରି ଏହି ଘଟଣାକୁ ନେଇ ତୁମ୍ଭିତୁଫାନ ହେବା ପରେ ସୋମବାର ଚାବି ହଜିବା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ତଦନ୍ତ କରିବେ । ତାଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନିୟୁକ୍ତି ଦିଆଯିବ । ଚାବି କିଆଡେ ଗଲା, କାହା ସମୟରେ ରତ୍ନଭଣ୍ଡାର ଚାବି ହଜିଲା ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ସମ୍ପର୍କରେ ତଦନ୍ତ କରି କମିଶନ ୩ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହେବା ପୂର୍ବରୁ ଆଜି ଆଇନମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଚାରବିମର୍ଶ କରିଥିଲେ ।

ଅପରପକ୍ଷରେ ରତ୍ନଭଣ୍ଡାର ଚାବି ହଜିବା ନେଇ ଗଜପତି ମହାରାଜଙ୍କୁ ଟାର୍ଗେଟ କରିଛନ୍ତି ଦଇତାପତି ନିଯୋଗ ସଭାପତୀ ରାମକୃଷ୍ଣ ଦାଶ ମହାପାତ୍ର । ଗଣମାଧ୍ୟମକୁ ସେ କହିଛନ୍ତି, “ଘରର ମୁରବି ହେଉଛନ୍ତି ଗଜପତି ମହାରାଜ । ତାଙ୍କ ପାଖରେ ଚାବି ରହିବା କଥା । ଚାବି ହଜିବା ଘଟଣା ଯେତେବେଳେ ଜଣାପଡିଲା ସେତେବେଳେ ଗଜପତି ମହାରାଜ ପଦକ୍ଷପ ନେବା କଥା । ଏଣୁ ୭ଦିନ ମଧ୍ୟରେ ବୈଠକ ଡାକି ଆଲୋଚନା କଲେ ଯଦି ଚାବି ତଥ୍ୟ ମିଳିଯାଏ ତେବେ ବିଚାର ବିଭାଗୀୟ ତଦନ୍ତ ଅନାବଶ୍ୟକ ।”

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଚାବି ହଜିଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଚାବି ହଜିଗଲା ସେନେଇ କୌଣସି କଥା ସ୍ପଷ୍ଟ କରାଯାଇନଥିଲା ।

ଅନ୍ୟପଟରେ ବିଭିନ୍ନ ମହଲରୁ ଘଟଣାକୁ ନେଇ ବହୁ ପ୍ରଶବାଚୀ ସୃଷ୍ଟି ହୋଇଛି । କ’ଣ ଜଜ ସାହେବ ଖୋଜିବେ ଚାବି? ପ୍ରକୃତରେ ଚାବି ହଜାଇଲା କିଏ? ଏତେ ବର୍ଷ ପରେ ଜଣାପଡିଲା ଚାବି ହଜିଛି? ଭିତର ଭଣ୍ଡାର ଘରେ କେତେ ତାଲା? କାହା କାହା ପାଖରେ ରହିଛି ଚାବି? କାହିଁକି ରାଜ୍ୟବାସୀଙ୍କୁ ଜାଣିଶୁଣି ରଖାଯାଉଛି ଅନ୍ଧାରରେ? କିଏ ଏଥିପାଇଁ ଦାୟୀ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ସମସ୍ତେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।


ସେୟାର କରନ୍ତୁ