ଆଇଆଇଟି ଭୁବନେଶ୍ୱର ଦ୍ୱାରା “ସବୁଜ ସିମେଣ୍ଟ ଓ ଅତ୍ୟାଧୁନିକ କମ୍ପୋଜିଟ୍ ନିର୍ମାଣ ପଦାର୍ଥ” ଶୀର୍ଷକ ପ୍ରଥମ ଆନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଚଳିତ ଜୁନ୍ ୧୩-୧୫ତାରିଖ ମଧ୍ୟରେ ଭୁବନେଶ୍ୱର ସ୍ଥିତ ଆଇଆଇଟି ଠାରେ “ସବୁଜ ସିମେଣ୍ଟ କମ୍ପୋଜିଟ୍” ପଦାର୍ଥ ଶୀର୍ଷକ ପ୍ରଥମ ଆନ୍ତର୍ଜାତୀୟ ଗ୍ରୀଷ୍ମକାଳୀନ କର୍ମଶାଳା ଅନୁଷ୍ଠିତ ହେଉଛି । ଏହାର ପ୍ରଥମ ଦିନ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗବେଷକ ଓ ମିଶିଗାନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପ୍ର. ଭିକ୍ଟର ସି ଲି ତାଙ୍କର ଉଦ୍ଘାଟନୀ ଅଭିଭାଷଣରେ ବିଶ୍ୱର ଭିତ୍ତିଭୂମି ସଂକ୍ରାନ୍ତୀୟ ସଙ୍କଟ ଉପରେ ଆଲୋକପାତ କରିଥିଲେ ।

କର୍ମଶାଳାରେ ଉପସ୍ଥିତ ଥିବା ଅନ୍ୟ ବିଶେଷଜ୍ଞ କହିଥିଲେ, ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ରରୁ ନିର୍ଗତ ଉଡନ୍ତା ପାଉଁଶ ବା ଫ୍ଲାଇ ଆଶ୍ ତଥା ଲୋହ ଉତ୍ପାଦନରୁ ନିର୍ଗତ ସ୍ଲାଗ୍ ପରି ଅନେକ ଶିଳ୍ପ ଜାତ ବର୍ଜ୍ୟ ବସ୍ତୁର ବ୍ୟବହାର ଦ୍ୱାରା ସିମେଣ୍ଟକୁ ସବୁଜ କରିବା ସହ ଅତ୍ୟାଧୁନିକ ନିର୍ମାଣ ପାଇଁ ସବୁଜ କଂକ୍ରିଟ୍ ଓ ଫାଇବର ପ୍ରବଳିତ କମ୍ପୋଜିଟ୍ ପଦାର୍ଥ ପ୍ରସ୍ତୁତ କରାଯାଇ ପାରିବ । ଏହା ଉଭୟ ପରିବେଶ ଓ ଭିତ୍ତିଭୂମିର ସ୍ଥାୟିତ୍ୱ ପାଇଁ ଅତ୍ୟନ୍ତ ସହାୟକ ।

ଏହି କର୍ମଶାଳାର ଶେଷ ଦିନରେ ଆଇଆଇଟିର ବରିଷ୍ଠ ଅଧ୍ୟାପକ ପ୍ର. ରବୀନ୍ଦ୍ର ଗେଟୁ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମର ପରିକଳ୍ପନା ଓ ପରିଚାଳନା କରିଥିଲେ ଆଇଆଇଟି ଭୁବନେଶ୍ୱରର ପ୍ର. ଦିନକର ପଶାଲା, ଆଇଆଇଟି ଖଡଗପୁର୍ର ଅଧ୍ୟାପକ ପ୍ର. ନିଲଞ୍ଜନ ମିତ୍ର ଓ ବିପିୟୁଟି ଅଧିନସ୍ଥ କେଏମ୍ବିବି କଲେଜର ମୁଖ୍ୟ ଡ. ଧନଦାକାନ୍ତ ମିଶ୍ର ।

ପ୍ରାୟ ଶହେରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ତଥା ବିଭିନ୍ନ ଶିଳ୍ପାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ, ଗବେଷକ ଓ କର୍ମକର୍ତ୍ତାବୃନ୍ଦ । ଅନ୍ୟାନ୍ୟ ବିଶେଷଜ୍ଞ ମାନଙ୍କ ମଧ୍ୟରେ ହଂକଂ ବିଶ୍ୱବିଦ୍ୟାଳୟର ପ୍ର. କ୍ରିଷ୍ଟଫର ଲିୟଙ୍ଗ, ଡ. ଜିଙ୍ଗ ୟୁ ଓ ଡ. ପବିତ୍ରା ପାର୍ଥସାରଥୀ, ଅଷ୍ଟ୍ରେଲିଆର ସ୍ୱିର୍ଣ୍ଣବର୍ଣ୍ଣ ବିଶ୍ୱବିଦ୍ୟାଳୟର ଡ. ବେହଜାଦ ନେମୋତୋଲାହି, ଆଇଆଇଟି କାନପୁରର ପ୍ର. ଦୁର୍ଗେଶ ଚନ୍ଦ୍ର ରାୟ, ଆଇଆଇଟି ମୁମ୍ବାଇର ଡ. ଡି.ଏନ୍. ସିଂହ, ଆଇଆଇଟି ହାଇଦ୍ରାବାଦର କୋଲୁରୀ ସୁବ୍ରମଣିୟମ୍ ଓ ଆଇଆଇଟି ଚେନ୍ନାଇର ଡ. ପୀୟୁଶ୍ ଚଉନ୍ଶାଲି । ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଛନ୍ତି ଇଣ୍ଡିଆନ୍ କଂକ୍ରିଟ୍ ଇନସ୍ଟିଚ୍ୟୁଟ, ଡାଲ୍ମିଆ ସିମେଣ୍ଟ୍, ଅଲ୍ଟ୍ରାଟେକ୍ ସିମେଣ୍ଟ୍ ଓ ରାମ୍କୋ ସିମେଣ୍ଟ ଇତ୍ୟାଦି ।


ସେୟାର କରନ୍ତୁ