ବିନା ସୁରକ୍ଷା ବ୍ୟବସ୍ଥାରେ ଚାଲିଥିଲା କାମ! ୭ଫୁଟ ଗଭୀର ମଇଳା ଟାଙ୍କି ଶ୍ରମିକଙ୍କ ପାଇଁ କାଳ ସାଜିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ମଇଳା ଟାଙ୍କି ସଫା କରିବା ଜଣେ ଶ୍ରମିକଙ୍କ ପାଇଁ କାଳ ହୋଇଛି । ୭ଫୁଟ୍ ଗଭୀର ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାଟି ଘଟିଛି ମଚେଂଶ୍ୱର ଥାନା ଅଧିନ ସତ୍ୟବିହାର ଅଚଂଳରେ । ମୃତ ଶ୍ରମିକ ଜଣଙ୍କ ହେଲେ କେନ୍ଦୁଝର ଭଣ୍ଡାରିଡ଼ିହ ଅଚଂଳର ଜୟନ୍ତ ମହାନ୍ତି (୪୫) । ସେ ଏଠାରେ ନୀଳାଦ୍ରିବିହାର ବସ୍ତିରେ ରହୁଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଚିଂ ଟାଙ୍କି ଭତରୁ ମୃତଦେହକୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗର ୮ଜଣ କର୍ମଚାରୀଙ୍କ ଏକ ଘଣ୍ଟାରୁ ଅଧିକ ସମୟ ଅକ୍ଳାନ୍ତ ପରିଶ୍ରମ ପରେ ମୃତ ଶରୀରକୁ ବାହାର କରାଯାଇଥିଲା । ବ୍ୟବଚ୍ଛେଦ ଲାଗି ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛି ।

ତେବେ ଟାଙ୍କି ସଫା କରିବା ନେଇ ଘର ମାଲିକ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା କି ନାହିଁ ସେନେଇ ପୁଲିସ ପଚରାଉଚରା ଚଳାଇଥିବା ଜଣାପଡିଛି । ଘର ମାଲିକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । ମୃତ ଯୁବକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ । ଅଭିଯୋଗ ହେବା ପରେ ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଜଣାଇଛି । ରାଜଧାନୀରେ ଏମିତି ଘଟଣା ବହୁବାର ଘଟିଥିବା ବେଳେ ଠିକାଦାର ବା ଘର ମାଲିକ ସୁରକ୍ଷା ବ୍ୟବସ୍ଥା କାହିଁକି ଅବଳମ୍ବନ କରୁନାହାନ୍ତି ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ସତ୍ୟବିହାର ଅଚଂଳରେ ରହୁଥିବା ଜ୍ଞାନରଞ୍ଜନ ଭଞ୍ଜ ଘର ପରିସରରେ ଥିବା ମଇଳା ଟାଙ୍କି ସଫା କରିବା ପାଇଁ ଜୟନ୍ତକୁ କାମରେ ଲଗାଇଥିଲେ । ଟାଙ୍କିଟି ୭ଫୁଟ୍ ଗଭୀର ଥିବା ବେଳେ ସେ ଭିତରେ ଫଶିଯାଇଥିଲେ । ଏହାଛଡ଼ା ଟାଙ୍କିଟି ମାସ ମାସ ହେବ ବ୍ୟବହାର ହେଉନଥିବାରୁ ଜୟନ୍ତ ଶ୍ୱାସରୁଦ୍ଧ ଯୋଗୁ ଜୀବନ ଯାଇଥିବା ଶୁଣିବାକୁ ମିଳିଛି । ଜୟନ୍ତ ଜଣେ ପାଇପ୍ ମିସ୍ତ୍ରୀ ଥିବାରୁ ଟାଙ୍କି ଭିତରେ ପାଇପ୍ ଜାମ ଥିବା ଯୋଗୁ ସଫେଇ ନେଇ ସେ ପସିଥିବା ଜଣାପଡିଛି । ବହୁ ସମୟ ଭିତରେ ରହିବା ପରେ ଘରମାଲିକ ତାଙ୍କୁ ଡାକିଥିଲେ । ହେଲେ ଭିତରୁ କୌଣସି ଶବ୍ଦ ଆସିନଥିଲା । ସେ ତୁରନ୍ତ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ ।


ସେୟାର କରନ୍ତୁ