କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ବିବାଦ ଘାରିଛି, ଓଡିଆ ଭଜନ ‘ଆହେ ନୀଳ ଶୈଳ’କୁ କଦର୍ଥ କରିଥିବା ଅଭିଯୋଗ…ଦେଖନ୍ତୁ ଭିଡ଼ିଓ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପୁଣି ବିବାଦରେ କଣ୍ଠଶିଳ୍ପୀ ସୋନା ମହାପାତ୍ର । କିଛି ଦିନ ତଳେ ରଙ୍ଗବତୀ ଗୀତକୁ ଗାଇ ଚର୍ଚ୍ଚାକୁ ଆସିଥିବା ସୋନା ଏବେ ଓଡିଆ ଭଜନକୁ କଦର୍ଥ କରିଥିବା ଅଭିଯୋଗ ହୋଇଛି । ମୁମ୍ବାଇର ଏକ କନସର୍ଟରେ ୨୦୧୭ରେ ସୋନା ଗାଇଥିବା ଓଡିଆ ଭଜନ ‘ଆହେ ନୀଳ ଶୈଳ’ ୟୁଟୁବରେ ଅପଲୋଡ ହୋଇଛି । ଯେଉଁଥିରେ ଅନେକ ସ୍ଥାନରେ ଧରାପଡିଛି ଉଚ୍ଚାରଣଗତ ତ୍ରୁଟି । ଏକଦମ ଆଧୁନିକ ଶୈଳୀରେ ସୋନା ଏହି ଗୀତକୁ ଗାଇଛନ୍ତି ସତ ହେଲେ କେମିତିକା ତ୍ରୁଟି କରିଛନ୍ତି ନଜର ପକାନ୍ତୁ ।

ମତ୍ତକୁ ମାତ, କରକୁ କଳ, ଉଦ୍ଧାରିଲକୁ ଉଦ୍ଧାରିଲା, ଜଣାଣକୁ ଜନନ, ସାଲବେଗକୁ ସାଲେବେଗ ଓ ଚରଣକୁ ଚରଣେ ଗାଇ ପୁରା ଗୀତକୁ ସୋନା କଦର୍ଥ କରିଥିବା ଅଭିଯୋଗ ହୋଇଛି । ମୂଳ ଗୀତ ସହ ଏହି ଗୀତର ଲେଖାରେ ଏଭଳି ତ୍ରୁଟିକୁ ନେଇ ଯୋରଦାର ସମାଲୋଚନାର ଶୀକାର ହୋଇଛନ୍ତି ସୋନା । ଭଜନଟିକୁ ଗାଇ ସୋନା ଏହାର ଧଜିଆ ଉଡ଼ାଇଥିବା ଭଜନ ପ୍ରେମୀ ଅଭିଯୋଗ ଆଣିଛନ୍ତି ।

ଗୀତଟିକୁ ଆରମ୍ଭ ଶେଷ ପର୍ଯ୍ୟନ୍ତ ଦେଖିଲେ ଲାଗୁଛି କେହି ଅଣଓଡିଆ ଏହି ଗୀତଟିକୁ ଗାଇବାକୁ ଚେଷ୍ଟା କରିଛି । ଅନ୍ୟପଟେ ଓଡିଆ ହୋଇ ଓଡିଆ ଭାଷାକୁ ସବୁବେଳେ କାହିଁକି କଦର୍ଥ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ସୋନାଙ୍କୁ ପ୍ରଶ୍ନ କରାଯାଇଛି ।

ଏମିତିକି କୁହାଯାଉଛି, ଭିଡିଓର ଭିଉୟର୍ସ ବଢ଼ାଇବା ପାଇଁ ଏବଂ ନିଜର ଲୋକପ୍ରିୟତା ଜାହିର କରିବା ପାଇଁ ସୋନା ଏମିତି ଉପାୟ ଅବଲମ୍ବନ କରିଛନ୍ତି । ମାନେ ଚର୍ଚ୍ଚାରେ ରହିବାକୁ ସୋନା ମହାପାତ୍ର ଆପଣାଇଛନ୍ତି ବିବାଦର ରାସ୍ତା । ସେ ଯାହା ବି ହେଉନା କାହିଁକି ଭଜନ, ଜଣାଣ ହେଉ ଅବା ଆଉ କିଛି ଭାଷାର ବିକୃତ ଚେହେରାକୁ ଦେଖିବାକୁ ଚାହାଁନ୍ତିନି ଓଡିଆ । ଆଗକୁ ଘଟଣାଟି କି ରୂପ ନଉଛି ତାହା ଦେଖିବାକୁ ବାକି ରହିଲା ।


ସେୟାର କରନ୍ତୁ