କରୋନା ମୁକାବିଲା ପାଇଁ ସରପଞ୍ଚକୁ ଦିଆଗଲା ଜିଲ୍ଲାପାଳଙ୍କ କ୍ଷମତା, ଲକଡାଉନ ପରେ ପ୍ରବାସୀ ଓଡ଼ିଆ ଫେରିଲେ ପଞ୍ଜିକରଣ ବାଧ୍ୟତାମୂଳକ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗ୍ରାମ ଗୁଡ଼ିକର କରୋନାର ସ୍ଥିତିକୁ ସମ୍ଭାଳିବା ପାଇଁ ଗ୍ରାମପଞ୍ଚାୟତରେ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି । ସଂକ୍ରମଣକୁ ରୋକିବା ଲାଗି ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଲୋକ ଘରକୁ ଫେରିବା ମାତ୍ରେ ସେମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ ଏବଂ ଏହି କାମକୁ ପଞ୍ଚାୟତସ୍ତରରେ କରାଯିବ ।

ଏଥିଲାଗି ଆବଶ୍ୟକୀୟ ଆଇନଗତ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ରାଜ୍ୟବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏଥିସହ କରୋନା ମୁକାବିଲା କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ଓ ପୌରସଂସ୍ଥାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଦରକାର ବୋଲି ମତ ସେ ରଖିଛନ୍ତି ।

ସେମାନଙ୍କୁ ଅସୁବିଧା ନ ହେବା ଲାଗି ପଞ୍ଚାୟତ ସ୍ତରରେ ପଞ୍ଜୀକରଣ ସୁବିଧା କରାଯାଇଛି । ପରିବାର ସଦସ୍ୟ ଏବଂ ବନ୍ଧୁ ମଧ୍ୟ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ ପରେ 14 ଦିନ ପାଇଁ ସେମାନେ ସଙ୍ଗରୋଧରେ ରହିବା ଜରୁରୀ । ଏହି ସମୟରେ ସେମାନଙ୍କ ଖାଇବା, ରହିବା, ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ । ସଙ୍ଗରୋଧ ସରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ 2000 ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା ହୋଇଅଛି ।

ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଲକଡାଉନ କଟକଣା ଉଠିଗଲେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ମାନଙ୍କ ସହ ଆଲୋଚନା କରିବୁ । ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ସେୟାର କରନ୍ତୁ