Coronavirus: ଦେଶରେ ଗୋଟିଏ ଦିନରେ ସବୁଠାରୁ ବେଶି ପାଖାପାଖି 50 ହଜାର ନୂଆ ମାମଲା, 12.87 ଲକ୍ଷ ଲୋକ ସଂକ୍ରମିତ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ 12 ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଏପର୍ଯ୍ୟନ୍ତ 12 ଲକ୍ଷ 87 ହଜାର 945 ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ 30,601 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 8 ଲକ୍ଷ 17 ହଜାର 208 ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ କରୋନା ଭାଇରସରେ 49,310 ନୂଆ ମାମଲା ସାମ୍ନାକୁ ଆସିଅଛି ଏବଂ 740 ଜଣଙ୍କର ମୃତ୍ୟୁ ହୋଇଅଛି ।

କରୋନା ସଂକ୍ରମଣ ହିସାବରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଓ ବ୍ରାଜିଲ ପରେ ଗୋଟିଏ ଦିନରେ ସବୁଠାରୁ ଅଧିକ ମାମଲା ମଧ୍ୟ ଭାରତରେ ଦର୍ଜ କରାଯାଉଛି । କିନ୍ତୁ ଯଦି ଆମେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ (4,169,172), ବ୍ରାଜିଲ (2,289,951)ରେ ଅଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ଦ୍ୱିତୀୟ/ତୃତୀୟ ସ୍ଥାନ ରହିଅଛି ।

ଦୁନିଆରେ କେଉଁଠି କେତେ ମାମଲା, କେତେ ମୃତ୍ୟୁ
ଆମେରିକା ଏବେ ମଧ୍ୟ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଶୀର୍ଷରେ ରହିଛି । ଏପର୍ଯ୍ୟନ୍ତ 41.69 ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଥିବାବେଳେ ଏକ ଲକ୍ଷ 47 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ପୂର୍ବ 24 ଘଣ୍ଟା ମଧ୍ୟରେ ଆମେରିକାରେ 68 ହଜାରରୁ ଅଧିକ ନୂତନ ମାମଲା ଆସିଥିବାବେଳେ 1,117 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏଥି ସହିତ ବ୍ରାଜିଲରେ ମଧ୍ୟ କରୋନାର ପ୍ରକୋପ ଜାରି ରହିଛି । ବ୍ରାଜିଲରେ ସଂକ୍ରମଣ ମାମଲା 22 ଲକ୍ଷ 89 ହଜାର ଅତିକ୍ରମ କରିଥିବାବେଳେ 84 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଆକ୍ଟିଭ କେସ ମାମଲାରେ ଟପ-5 ରାଜ୍ୟ

ସଂଖ୍ୟା ମୁତାବକ, ଦେଶରେ ବର୍ତ୍ତମାନ ଚାରି ଲକ୍ଷ 40 ହଜାର 135 କରୋନା ଆକ୍ଟିଭ ମାମଲା ରହିଛି । ସବୁଠାରୁ ବେଶି ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ 93 ହଜାରରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ଦ୍ୱିତୀୟ ନମ୍ବରରେ ତାମିଲନାଡୁ, ତୃତୀୟ ନମ୍ବରରେ କର୍ଣ୍ଣାଟକ, ଚତୁର୍ଥ ନମ୍ବରରେ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଚମ ନମ୍ବରରେ ଦିଲ୍ଲୀ ଅଛି । ଏହି ପାଞ୍ଚ ରାଜ୍ୟରେ ସବୁଠାରୁ ବେଶି ଆକ୍ଟିଭ କେସ ଅଛି । ଆକ୍ଟିଭ କେସ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି, ଅର୍ଥାତ୍ ଭାରତ ହେଉଛି ଏମିତି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


ସେୟାର କରନ୍ତୁ