ନୂଆ ବର୍ଷରେ ଖୁସି ଖବର: ରାଜ୍ୟରେ ସିନେମା ହଲ ଏବଂ ଥିଏଟର ଖୋଲିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ରାଜ୍ୟରେ କରୋନା କାରଣ ପାଇଁ ସିନେମା ହଲ, ଥିଏଟର ଏବଂ ବିଭିର୍ନ ପ୍ରକାରର ରଙ୍ଗମଞ୍ଚ ବନ୍ଦ ରହିଥିଲା । ଧୀରେ ଧୀରେ ଏବେ କରୋନାର ପ୍ରଭାବ କମିବାକୁ ଲାଗିଅଛି । କିନ୍ତୁ ଏବେ ରାଜ୍ୟର ସିନେମା ପ୍ରେମୀଙ୍କ ପାଇଁ ନୂଆ ବର୍ଷରେ ଖୁସି ଖବର ଆସିଛି । ରାଜ୍ୟରେ ଥିବା ସିନେମା ହଲ ଓ ଥିଏଟରଗୁଡ଼ିକୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ଜାନୁଆରି ମାସର କରୋନା ଗାଇଡଲାଇନ୍ସରେ ସିନେମା ହଲ ଖୋଲିବା ବିଷୟରେ ଘୋଷଣା କରାଯାଇଛି । ତେବେ 50 ପ୍ରତିଶତ ଦର୍ଶକ ସହ ହଲଗୁଡ଼ିକ ଖୋଲିପାରିବ । ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରୋନା ଏସଓପି ପାଳନ କରାଯିବ ।

ସେହିପରି ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ମୁକ୍ତାକାଶ ମଞ୍ଚ, ଯାତ୍ରାମଞ୍ଚ ଇତ୍ୟାଦି ଖୋଲିପାରିବ । ତେବେ ଏଥିପାଇଁ ସରକାରଙ୍କ କରୋନା ଗାଇଡଲାଇନ ପାଳନ କରିବାକୁ ହେବ । ଦେଶରେ ସିନେମା ହଲ ଖୋଲିବାକୁ ଗତ ଅକ୍ଟୋବର ମାସରେ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି ହୋଇଥିଲା ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ଆଜି ଜାନୁୟାରୀ 1ରୁ 31 ତାରିଖ ପର୍ଯ୍ୟନ୍ତ ଅବଧି ନିମନ୍ତେ କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନ ମୁତାବକ, ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶରେ ସର୍ବାଧିକ 200 ଜଣ ଲୋକ ଏକଜୁଟ ହେବା ପାଇଁ ଅନୁମତି ଦିଆଯାଇଛି । ଯାହାକି ଡିସେମ୍ବର ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାରଣ ରହିଥିଲା ।

ସେହିପରି ବିବାହ ଉତ୍ସବରେ ସର୍ବାଧିକ 200ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ସର୍ବାଧିକ 100 ଜଣ ଲୋକ ସାମିଲ ହୋଇପାରିବେ । ବ୍ୟବସାୟିକ ବୈଠକରେ ସର୍ବାଧିକ 200 ଜଣ ଲୋକଙ୍କୁ ନେଇ ମିଟିଂ ହୋଇପାରିବ । ସେହିପରି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ 50 ପ୍ରତିଶତ ଓ 200 ଜଣ ଲୋକଙ୍କୁ ନେଇ ବୈଠକ ହୋଇପାରିବ । ସଭାସ୍ଥଳଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ, ସାନିଟାଇଜର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ହେବ ।


ସେୟାର କରନ୍ତୁ