ଆସିଲା ଅଗଷ୍ଟ ମାସର କୋଭିଡ୍ ଗାଇଡଲାଇନ : ଖୋଲିବ ସିନେମା ହଲ୍‌, ପାର୍କ, ପର୍ଯ୍ୟଟନ ସ୍ଥଳୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟ ସରକାର କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ଅଗଷ୍ଟ ମାସ ପାଇଁ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରିଛନ୍ତି । ଏସ୍‌ଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି । ରାଜ୍ୟରେ କରୋନା କଟକଣାକୁ ଆଉ କିଛି କୋହଳ କରିଛନ୍ତି ରାଜ୍ୟ ସରକାର । ପ୍ରତି ଦିନ ରାତି 8ରୁ ସକାଳ 6ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ । ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ତେବେ ସପିଂ ମଲ, ସିନେମା ହଲ, ପାର୍କ ଆଦି ଖୋଲିବାକୁ ଅନୁମତି ମିଳିଛି ।

ଆଜି ଏ ସମ୍ପର୍କରେ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିବା ଅନୁଯାୟୀ, ସିନେମା ହଲ, ସପିଂ ମଲ ଓ ପାର୍କ ଆଦିକୁ ଖୋଲିବାକୁ ଅନୁମତି ଦିଆଯିବ । ତେବେ ସଂପୂର୍ଣ୍ଣ କୋଭିଡ କଟକଣା ସହିତ ଓ ସତର୍କତା ଅବଲମ୍ବନ ମୂଳକ ଏସବୁ ଖୋଲିବାକୁ ଅନୁମତି ଦିଆଯାଇଛି । ସିନେମା ହଲ୍ 50% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ । ସେହିପରି ସପିଂ ମଲଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ପ୍ରାପ୍ତ ବୟସ୍କମାନେ ଦୁଇଟି କୋଭିଡ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇ ସିନେମା ହଲ ଓ ସପିଂ ମଲରେ ପ୍ରବେଶ କରିପାରିବେ ।

ଅନ୍ୟପକ୍ଷରେ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କରେ ଶ୍ରୀ ଜେନା କହିଛନ୍ତି ଯେ ଏ ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।


ସେୟାର କରନ୍ତୁ