ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ଆଗକୁ ଆସୁଛି ବର୍ଷା । ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ରହିଛି । ଏହା ପ୍ରଭାବରେ ସୋମବାର ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି । ଆଜି ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଅପରପକ୍ଷେ ଆସନ୍ତା 25ତାରିଖ ଆଡ଼କୁ ପୂର୍ବ-କେନ୍ଦ୍ରୀୟ ତଥା ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର 48 ଘଣ୍ଟା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହା ଫଳରେ ରାଜ୍ୟରେ ଆସନ୍ତା 26 ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି କେନ୍ଦ୍ର କହିଛି।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ବର୍ତ୍ତମାନର ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା ହେବ । କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ଜାରି ରହିବ। 24 ତାରିଖବେଳକୁ ମିଆଁମାର ଉପକୂଳ ପାଖରେ ଏକ ଘୂର୍ଣ୍ଣିବଳୟସୃଷ୍ଟି ହୋଇପାରେ । ଏହା 25 ତାରିଖରେ ଲଘୁଚାପରେ ପରିଣତ ହେବା ସହ ଆସନ୍ତା 26 ତାରିଖବେଳକୁ ଓଡ଼ିଶାର ଭଦ୍ରକ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।

ଏହା ପ୍ରଭାବରେ 25ରେ ଅଳ୍ପ ବର୍ଷା ହେବ। ହେଲେ 26ରେ ଉପକୂଳ ଓଡ଼ିଶାରେ ବର୍ଷିବ । ବେଶି ବର୍ଷା ହେବ ଉତ୍ତର ଉପକୂଳ ଓଡ଼ିଶାରେ । ପାଶ୍ୱର୍ବର୍ତ୍ତୀ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ 27ରେ ବର୍ଷା ଲାଗି ରହିବ । ସେହିପରି 26 ତାରିଖବେଳକୁ ମିଆଁମାର ପଟୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ 27ରେ ଲଘୁଚାପ ରୂପ ନେଇପାରେ । 28ରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ଅଧିକ ଘନୀଭୂତ ହେବା ସମ୍ଭାବନା କମ୍‌ । ଯଦି ବି ଅଧିକ ଘନୀଭୂତ ହେବ, ଏହା ଭୀଷଣ ଅବପାତ ପର୍ଯ୍ୟନ୍ତ ଯାଇପାରେ । ସେପ୍ଟେମ୍ବରରେ କୌଣସି ବାତ୍ୟା ସମ୍ଭାବନା ନାହିଁ ।


ସେୟାର କରନ୍ତୁ