କରୋନା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସତର୍କ ରହିବାକୁ ଦେଲେ ପରାମର୍ଶ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଛି । ଏନେଇ ନିକଟରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଆଜି କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।

ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ଏହାକୁ ଗୁରୁତର ସହ ନେବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇଥିଲେ । କୋଭିଡ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣି ଥରେ ସକ୍ରିୟ କରିବା ସହିତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସବୁ ଅଧିକାରୀ ମାନଙ୍କୁ ଜାଗତିଆର ରଖିବା ପାଇଁ ପରାମର୍ଶ ଦେଇଥିଲେ ।

କୋଭିଡ୍ ନିୟମର ଯେପରି କଡାକଡି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବାପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ପୂର୍ବ ଭଳି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସେ କୋଭିଡ ନିୟମକୁ କଡ଼ାକଡ଼ି ମାନିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।


ସେୟାର କରନ୍ତୁ