ରାଜ୍ୟର ସମସ୍ତ ସହରାଞ୍ଚଳରେ “ନାଇଟ୍ କର୍ଫ୍ୟୁ”, ଦ୍ବାଦଶ ଶ୍ରେଣୀ ଯାଏଁ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ତେବେ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ରାତି 10ଟା ପରିବର୍ତ୍ତେ ରାତି 9ଟାରୁ କର୍ଫ୍ୟୁ ଲାଗୁ କରାଯାଇଛି । ଚଳିତ ମାସ 7 ତାରିଖ ସକାଳ 5ଟାରୁ ଆସନ୍ତା ଫେବ୍ରୁଆରି 1 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।

ରାଜ୍ୟ ସରକାରଙ୍କ ଅଧିନସ୍ଥ ସରକାରୀ କାର୍ଯ୍ଯାଳୟ ଗୁଡିକ ଆସନ୍ତା ସପ୍ତାହରୁ 50 ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ । ସେହିପରି ରାଜ୍ୟର ଘରୋଇ ଅନୁଷ୍ଠାନ ଗୁଡିକ ସୀମିତ ସଂଖ୍ୟକ ଷ୍ଟାଫ୍‌ଙ୍କୁ ନେଇ କାମ କରିବା ସହିତ ୱର୍କ୍ ଫ୍ରମ୍ ହୋମ୍ ବିକଳ୍ପ କାର୍ଯ୍ଯକାରୀ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ 100 ଜଣ ଅଂଶଗ୍ରହଣ କରିପାରିବେ । ଇଣ୍ଡୋର୍ କାର୍ଯ୍ୟକ୍ରମରେ ହଲ୍ କ୍ଷମତାର 50 ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହେବ । ପିକ୍‌ନିକ୍, ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବନ୍ଦ ରହିବ । ରାଜନୈତିକ, କ୍ରୀଡା ତଥା ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ 100 ଜଣ ଅଂଶଗ୍ରହଣ କରିପାରିବେ ।

ହାଟ, ଦୋକାନ ବଜାର ଇତ୍ୟାଦିରେ କୋଭିଡ୍ ନିୟମର ପାଳନ ଦୋକାନ/ମଲ୍ ଇତ୍ୟାଦି ମାଲିକଙ୍କ ଉତ୍ତରଦାୟିତ୍ଵ ରହିବ । ନିୟମ ଉଲ୍ଲଂଘନ କଲେ 7ଦିନ ପାଇଁ ସଂପୃକ୍ତ ପ୍ରତିଷ୍ଠାନକୁ ସ୍ଥାନୀୟ ପ୍ରଶାସନ ସିଲ୍ କରିବେ ।

ଆସନ୍ତା 8 ତାରିଖ ପରେ ରାଜ୍ୟରେ 6ଷ୍ଠରୁ ଦ୍ବାଦଶ ‌ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନରେ ପାଠପଢା ଜାରି ରହିବ । ଏହାସହିତ ମାଟ୍ରିକ ସମେଟିଭ୍ ପରୀକ୍ଷା ଚାଲୁ ରହିବ ।

ବିବାହ ସମାରୋହରେ 100 ଲୋକ ଓ ଶୁଦ୍ଧିକ୍ରିୟାରେ 50 ଜଣ ସାମିଲ ହୋଇପାରିବେ । ବିବାହ ଶୋଭାଯାତ୍ରାରେ ସର୍ବାଧିକ 30 ଜଣଙ୍କୁ ସାମିଲ ହେବାକୁ ଅନୁମତି ମିଳିବ । ବିବାହ ପାଇଁ ଅତୀତର ମାର୍ଗଦର୍ଶିକାକୁ ବ୍ୟବହାର କରାଯିବ । ବିବାହ ପାଇଁ ଏକାଧିକ କାର୍ଯ୍ୟକ୍ରମ ଯଥା ହଳଦୀ ଓ ଅନ୍ୟ ଆୟୋଜନ କରାଯାଇପାରିବ ନାହିଁ ।

କୌଣସି ହୋଟେଲ, ମଲ୍‌, କନଭେନସନ୍‌ ସେଣ୍ଟର ଏବଂ କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ କିମ୍ବା ଏନକରସନ୍‌ କରିପାରିବେ ନାହିଁ । ଧାର୍ମିକ ପୀଠମାନଙ୍କରେ କେବଳ ନୀତିକାନ୍ତି କରାଯିବ । କୌଣସି ଗହଳି କରାଯିବ ନାହିଁ । ଏ ନେଇ ସ୍ଥାନୀୟ ପ୍ରଶାସନ ଆଲର୍ଟ ରହିବ ।

ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ପବ୍‌ମାନଙ୍କରେ ପୂର୍ବରୁ ଶତ ପ୍ରତିଶତ ଲୋକ ବସୁଥିଲେ । କିନ୍ତୁ ଏବେ ତାହା 50 ପ୍ରତିଶତରେ ଚାଲୁରହିବ । ସେହିଭଳି ରାସ୍ତା ଘାଟରେ ଷ୍ଟ୍ରିଟ୍‌ ଭେଣ୍ଡରମାନେ ରାତି 9ଟା ଯାଏଁ ନିଜର ବ୍ୟବସାୟ କରିପାରିବେ । ଏହା ସହିତ ସେମାନେ ଗ୍ରାହକଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ କହିବେ ।

ତିନୋଟି ମୂଳ ମନ୍ତ୍ର, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ହାତ ଧୋଇବାକୁ ମାନି ଚଳିବ । ଭୀଡ଼କୁ ଯିବା ନାହିଁ, ବୁଢ଼ା-ବୁଢ଼ି ତଥା ବୟସ୍କଙ୍କ ଯତ୍ନ ନେବା । ତିନୋଟି ମୂଳମନ୍ତ୍ରକୁ ଭୁଲିବା ନାହିଁ, ତା’ହେଲେ ଆମେ ସୁରକ୍ଷିତ ରହିବା । ଅଯଥାରେ ଭିଡ଼କୁ ଯିବା ନାହିଁ। ଯଦି ଆମେ ଏହା ନ କରିବା, ତା’ହେଲେ ବିପଦରେ ପଡ଼ିବାର ଆଶଙ୍କା ରହିଛି ।


ସେୟାର କରନ୍ତୁ