ବଡଝରା ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ସିଧା ପ୍ରତିଦ୍ବନ୍ଦ୍ବିତା

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଓ ସମିତିସଭ୍ୟ ପ୍ରାର୍ଥୀ ନିର୍ଦ୍ଦଳୀୟ ହୋଇଥିବା ବେଳେ କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ଲଢ଼ନ୍ତି । ନିର୍ଦ୍ଦଳୀୟ ହେଲେ ବି ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀଙ୍କୁ ପରୋକ୍ଷ ଭାବେ ବିଭିନ୍ନ ରାଜନୈତିକ ଦଳଙ୍କ ତରଫରୁ ସମର୍ଥନ ରହିଥାଏ । ସେକଥା କାହାକୁ ଅଛପା ନାହିଁ । ସେହିପରି କେତେକ ଜାଗାରେ ଅଣ ରାଜନୈତିକ ଦଳ, ଅର୍ଥାତ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ମୈଦାନକୁ ଓଲ୍ହାଇବାରେ ମଧ୍ୟ ଏଥିରୁ ପଛରେ ପଡନ୍ତିନାହିଁ ।

ତେବେ ଏଥର କୋଭିଡ କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ହେଉଅଛି । କେବଳ ଘରକୁ ଘର ବୁଲି ପ୍ରାର୍ଥୀମାନେ ପ୍ରଚାର କରିପାରିବେ । ଏହାସହ କୌଣସି ସ୍ଥାନରେ ଶୋଭାଯାତ୍ରା ମଧ୍ୟ ହେବ ନାହିଁ । ହାତରେ ସମୟ କମ୍ ଥିବାରୁ ଏବେ ସବୁ ରାଜନୈତିକ ଦଳମାନେ ନିଜ ନିଜର ସମର୍ଥିତ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ମୈଦାନକୁ ଓଲ୍ହାଇ ସାରିଛନ୍ତି ।

ତେବେ ଗତ ଥର ଭଳି ଏଥର ମଧ୍ୟ ବଡଝରା ପଞ୍ଚାୟତରେ ସରପଞ୍ଚ ପଦ ଏବଂ ସମିତି ପଦ ପାଇଁ ଘମାଘୋଟ ଲଢେଇ ଦେଖିବାକୁ ମିଳୁଅଛି । ଏହି ପଞ୍ଚାୟତରେ ସରପଞ୍ଚ (ମହିଳା) ଆସନ ପାଇଁ ପୂଜା ବେହେରାଙ୍କ ସହିତ ରୁନୁ ପ୍ରଧାନ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଆଉ ଏହି ପଞ୍ଚାୟତରୁ ସମିତି ସଭ୍ୟ (ଅଣସଂରକ୍ଷିତ) ପଦ ପାଇଁ ଦିଲେଶ୍ଵର ସାହୁଙ୍କ ସହ ଭୃଗୁବର ସାହୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି । ଏହି ପଞ୍ଚାୟତରେ ରହିଥିବା 11ଟି ୱାର୍ଡ ମଧ୍ୟରେ 1323 ପୁରୁଷ ଓ 1311 ମହିଳାଙ୍କୁ ମିଶାଇ ମୋଟ 2634 ଭୋଟର ରହିଛନ୍ତି ।

ସୂଚନା ଥାଉ କି- ପୂଜା ବେହେରା ହେଲେ ପୂର୍ବତନ ସମିତି ସଭ୍ୟ ଦିଲେଶ୍ଵର ସାହୁଙ୍କ ଭାଇ ବହୁ । 2017ରେ ସରପଞ୍ଚ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିବା ବାପୁନ ସାହୁଙ୍କ ଧର୍ମ ପତ୍ନୀ ହେଲେ ରୁନୁ ପ୍ରଧାନ ।

ଉଲ୍ଲେଖ ଥାଉ କି, ଏହି ପଞ୍ଚାୟତରୁ 1992ରେ ଭୁବନାନଦ ସାହୁ (ସରପଞ୍ଚ) ଏବଂ ପୁରୀ ସାହୁ (ସମିତି ସଭ୍ୟ), 1997ରେ ସରସ୍ୱତୀ ସାହୁ (ସରପଞ୍ଚ) ଏବଂ ଗନ୍ଧର୍ବ ସାହୁ (ସମିତି ସଭ୍ୟ), 2003ରେ ଦୁଃଖବନ୍ଧୁ ସାହୁ (ସରପଞ୍ଚ) ଏବଂ ଅଶାନ୍ତି ସାହୁ (ସମିତି ସଭ୍ୟ), 2007ରେ ରୁକ୍ମିଣୀ ସାହୁ (ସରପଞ୍ଚ) ଏବଂ ପ୍ରସନ ସାହୁ (ସମିତି ସଭ୍ୟ), 2012 ଅଶାନ୍ତି ସାହୁ (ସରପଞ୍ଚ) ଏବଂ ଦିଲେଶ୍ଵର ସାହୁ (ସମିତି ସଭ୍ୟ), 2017ରେ ଦୁଃଖବନ୍ଧୁ ସାହୁ (ସରପଞ୍ଚ) ଏବଂ ରୁକ୍ମିଣୀ ସାହୁ (ସମିତି ସଭ୍ୟ) ଭାବେ ନିର୍ବାଚିତ ହୋଇଥିଲେ ।


ସେୟାର କରନ୍ତୁ