କଲବଲ କରିବ ତାତି, ପାରଦ 3 ଡିଗ୍ରୀ ଯାଏଁ ବଢିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଗକୁ କଲବଲ କରିବ ଖରା । ଆଭ୍ୟନ୍ତରୀଣ ଓଡ଼ିଶାବାସୀ ସିଝିବେ । ସ୍ୱାଭାବିକ ଠାରୁ ବଢ଼ିବ 2ରୁ 3 ଡିଗ୍ରୀ ସେଲସିୟସ୍‌ ତାତି । ଆସନ୍ତା 4ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବରେ ଗୁରୁବାର 41.4 ଡିଗ୍ରୀ ସେଲସିୟସ୍‌ ସହ ଟିଟିଲାଗଡ଼ ରହିଥିଲା । ତେବେ ସେହିପରି 12ଟି ସହରର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ଉପରେ ଥିଲା । ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା 41.3 ଡିଗ୍ରୀ ସେଲସିୟସ୍‌ ଥିବାବେଳେ ସମ୍ୱଲପୁର ଓ ବୌଦ୍ଧରେ 40, ଝାରସୁଗୁଡ଼ାରେ 39.8, ଭବାନିପାଟଣାରେ 39.6, ବାରିପଦାରେ ୩୯.୫, ସୋନପୁରରେ 39.2, ଅନୁଗୁଳରେ 39.1, ସୁନ୍ଦରଗଡ଼, ତାଳଚେର ଓ ନୟାଗଡ଼ରେ 39, ଭୁବନେଶ୍ୱରରେ 35.6 ଏବଂ କଟକରେ 35 ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

ଆଗାମୀ ଦିନରେ ରାଜ୍ୟରେ ଏମିତି ତାତି ଜାରି ରହିବ । ଏବେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠୁ 2ରୁ 3 ଡିଗ୍ରୀ ଅଧିକ ରହୁଥିବାବେଳେ ଆଗାମୀ ଦିନରେ ବି 3 ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ସୁନ୍ଦରଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।


ସେୟାର କରନ୍ତୁ