ରାଜ୍ୟରେ ଆସନ୍ତା 2 ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆସନ୍ତା 2 ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛନ୍ତି ପାଣିପାଗବିତ୍‌ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହେବ । କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା 44 ଡିଗ୍ରୀ ଛୁଇଁବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । 3 ତାରିଖ ସୁଦ୍ଧା ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

ଗୁରୁବାର ଓ ଶୁକ୍ରବାର ସାରା ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠୁ 3ରୁ 5 ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଭଳି ପାଗ ଆସନ୍ତା 3ରୁ 4 ଦିନ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି । ତେଣୁ ସମ୍ପୃକ୍ତ ଜିଲ୍ଲାଗୁଡିକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ରୋଗୀଣା ବ୍ୟକ୍ତିମାନଙ୍କୁ ଦିନ 12ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ବାରଣ କରିଛନ୍ତି । ଏହି ସମୟରେ ବାହାରକୁ ବାହାରିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବୁଧବାର ରାଜ୍ୟର 8ଟି ସହରର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ଟପିଥିଲା । 42.7 ଡିଗ୍ରୀ ସେଲସିୟସ୍‌ ସହ ଟିଟିଲାଗଡ଼ ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ବଲାଙ୍ଗୀରରେ 42.5, ସୋନପୁରରେ 41.9, ଝାରସୁଗୁଡ଼ାରେ 41.2, ବୌଦ୍ଧରେ 41, ସମ୍ବଲପୁର ଓ ସୁନ୍ଦରଗଡ଼ରେ 40 ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ସାମାନ୍ୟ କମ ରହିଥିଲା । ରାଜଧାନୀ ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା 34.8 ଡିଗ୍ରୀ ସେଲସିୟସ୍‌ ଥିବା ବେଳେ କଟକରେ 38.1 ଡିଗ୍ରୀ ସେଲସିୟସ୍‌ ରହିଥିଲା । ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।


ସେୟାର କରନ୍ତୁ