ଖରାର ପ୍ରକୋପ ବଢୁଥିବାରୁ ଅଂଶୁଘାତ ପ୍ରତି ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନକୁ ଦିନ ଖରାର ପ୍ରକୋପ ବଢୁଅଛି । ସାରା ରାଜ୍ୟରେ ଭୀଷଣ ଖରା । ମଧ୍ୟାହ୍ନ ସମୟରେ ସହରାଞ୍ଚଳର ରାସ୍ତାଗୁଡ଼ିକ ଖାଲିଖାଲି ଲାଗୁଛି । ତେଣୁ ଅଂଶୁଘାତ ପ୍ରତି ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଖରା ସମୟରେ ତାପମାତ୍ରା ବଢିଥାଏ । ଆଗକୁ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ ରହିଛି । ଏହା ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉଛି । ଖରା ବେଳେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଖରା ସମୟରେ କାମ ବନ୍ଦ ରଖିବାକୁ କୁହାଯାଉଛି ।

ଏଥିସହିତ ବାହାରକୁ ବାହାରିଲେ ପାଖରେ ପିଇବା ପାଣି, ଛତା ଓ ଓଦା କପଡା ମୁଣ୍ଡରେ ରଖିବା ଉଚିତ । ମାତ୍ର ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଡାକ୍ତରଖାନାରେ ସମସ୍ତ ପ୍ରକାରର ଔଷଧ ମହଜୁତ ରଖିବା ସହ ସ୍ୱତନ୍ତ୍ର ଶଯ୍ୟା ରଖାଯାଇଛି । ହସ୍ପିଟାଲରେ ଏୟାର କୁଲର, ଫ୍ୟାନ ପ୍ରସ୍ତୁତ କରି ରଖାଯାଇଛି । ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ଅଂଶୁଘାତରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି । ଆସନ୍ତା ୫ ଦିନ ଯାଏ ନିସ୍ତାର ନାହିଁ । ଏନେଇ ସୂଚନା ଦେଇଛି ଆଇଏମଡି । ସେଥିପାଇଁ 7 ଜିଲ୍ଲାକୁ ହିଟ୍ ଓ୍ବେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କିନ୍ତୁ ଗତ 2 ଦିନ ତୁଳନାରେ ଆଜି ତାତି ସାମାନ୍ୟ କମିଛି । ଆଜି ଦିନ ସାଢେ 11ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା 40.4 ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏହା ପଛକୁ ରହିଛି ସମ୍ବଲପୁର । ସମ୍ବଲପୁରର 39 ଡ଼ିଗ୍ରୀ, ବାଲେଶ୍ୱର 38 ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ପାରଦ 37.6 ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ପଶ୍ଚିମ ଓଡ଼ିଶାର ତାପମାତ୍ରା 44 ଡିଗ୍ରୀ ଛୁଇଁଥିଲା । 44 ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା 43.8 ଡିଗ୍ରୀ ରେକର୍ଡ ହୋଇଥିଲା । ଖାଲି ସେତିକି ନୁହେଁ, 42 ଡିଗ୍ରୀ ଉପରକୁ 16 ସହର ତାପମାତ୍ରା ଡେଇଁଥିଲା ।


ସେୟାର କରନ୍ତୁ