ଅଗ୍ନିପଥ ଯୋଜନାକୁ ବିରୋଧ କରି ପରଜଙ୍ଗ କଂଗ୍ରେସର ଶାନ୍ତିପୂର୍ଣ ସତ୍ୟାଗ୍ରହ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିଭିନ୍ନ ମହଲରେ ବିରୋଧ ଏବେ ମଧ୍ୟ ଲାଗି ରହିଛି । ଏହି ଯୋଜନା ଲାଗୁ ହେବା ପରେ ଦେଶର କେତେକ ଜାଗାରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏବେ ମଧ୍ୟ କେତେକ ସ୍ଥାନରେ ବିକ୍ଷୋଭ ଜାରି ରହିଛି ।

ସୂଚନା ମୁତାବକ, ଆଜି ପରଜଙ୍ଗ ବସଷ୍ଟାଣ୍ଡ ୟୁକୋ ବ୍ୟାଙ୍କ ସାମ୍ନାରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ କର୍ମୀମାନେ ଅଗ୍ନିପଥ ଯୋଜନାକୁ ଶାନ୍ତିପୂର୍ଣ୍ଣ ବିରୋଧ କରିଛନ୍ତି । ସକାଳ 10 ଟାରୁ ଦିନ ଗୋଟେ ପର୍ଯ୍ୟନ୍ତ ଦୀର୍ଘ 3 ଘଣ୍ଟା ଧରି ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ ଆନ୍ଦୋଳନ କରିଥିଲେ । ଅଗ୍ନୀପଥ ନିଯୁକ୍ତି ଯୋଜନାକୁ ନିଯୁକ୍ତି ବାତିଲ କରିବା ସହ ଭାରତୀୟ ସେନାବାହିନୀରେ ପୂର୍ବ ପ୍ରଚଳିତ ନିଯୁକ୍ତି ବ୍ୟବସ୍ଥାକୁ ଜାରି ରଖିବା ପାଇଁ ଦାବୀ ନେଇ ପରଜଙ୍ଗ କଂଗ୍ରେସ ଶାନ୍ତିପୂର୍ଣ ସତ୍ୟାଗ୍ରହ କରିଛି ।

ତେବେ କଂଗ୍ରେସ ପକ୍ଷରୁ ଅଗ୍ନିପଥ ଯୋଜନାକୁ ବିରୋଧ କରି ନାରାବାଜି କରାଯିବା ସହ ଏହାକୁ ବାତିଲ କରିବାକୁ ଦାବୀ କରାଯାଇଛି । କଂଗ୍ରେସ ଜିଲ୍ଲା ଉପସଭାପତି ରଣଜିତ କୁମାର ସାହୁଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଙ୍କଡାହାଡ ବ୍ଲକ ସଭାପତି ଧନେଶ୍ୱର ସାହୁ, କଂଗ୍ରେସ ଜିଲ୍ଲା ସେକ୍ରେଟେରୀ ବିଜୟାନନ୍ଦ ପରିଡା, ଆଡ଼ଭୋକେଟ ସଦାଶିବ ମଲ୍ଲିକ, ଗଣେଶ୍ୱର ଦେହୁରୀ, ଜଗବନ୍ଧୁ କାଣ୍ଡି, ରଘୁନାଥ ସିଂଗ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ଭାରତୀୟ ସେନାର ତିନୋଟି ଅଙ୍ଗ, ସ୍ଥଳ ସେନା, ବାୟୁସେନା ଏବଂ ନୌ ସେନାରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଣିଥିବା ‘ଅଗ୍ନିପଥ ଯୋଜନା’ ଏକ ନୂତନ ଯୋଜନା । ଏଥିରେ ନିଯୁକ୍ତ ଯୁବକମାନେ ଅଗ୍ନିବୀର ନାମରେ ପରିଚିତ ହେବେ ଏବଂ ସେମାନଙ୍କର କାର୍ଯ୍ୟକାଳ ଚାରି ବର୍ଷ ହେବ । ଅବସର ପରେ ସେ ପେନସନ ପାଇବାକୁ ହକଦାର ହେବେ ନାହିଁ । ବର୍ତ୍ତମାନ ସେନାରେ ସମସ୍ତ ନିଯୁକ୍ତି କେବଳ ‘ଅଗ୍ନିପଥ ଯୋଜନା’ ଅଧୀନରେ କରାଯିବ ।

ଜୁନ୍ 14 ରେ ‘ଅଗ୍ନିପଥ ଯୋଜନା’ ଘୋଷଣା କରାଯାଇଥିଲା । ଏଥିରେ 17 ବର୍ଷରୁ 21 ବର୍ଷ ମଧ୍ୟରେ ସେନାବାହିନୀରେ ଚାରି ବର୍ଷ ପାଇଁ ଯୁବକ ନିଯୁକ୍ତି କରିବାର ବ୍ୟବସ୍ଥା ଅଛି । ଚାରି ବର୍ଷ ପରେ, ଏହି ଯୁବକମାନଙ୍କ ମଧ୍ୟରୁ ମାତ୍ର 25 ପ୍ରତିଶତ ସେବାକୁ ନିୟମିତ କରିବା ପାଇଁ ଏକ ବ୍ୟବସ୍ଥା ଅଛି । ଏହି ଯୋଜନା ବିରୁଦ୍ଧରେ ଅନେକ ରାଜ୍ୟରେ ବିରୋଧ ପରେ, ସରକାର ଏହି ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ 23 ବର୍ଷକୁ ବୃଦ୍ଧି କରିଛନ୍ତି ।


ସେୟାର କରନ୍ତୁ