ରାଜ୍ୟ ଅଧିକ ଭିଜିବ, 10 ଓ 11 ବଢିବ ବର୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଗୁରୁବାର ଦିନ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନତମାମ୍‌ ବର୍ଷା ଜାରି ରହିଛି । ଆସନ୍ତା 10 ଓ 11 ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ହୋଇଥିବା ଘୂର୍ଣ୍ଣିବଳୟ ଏବଂ ଓଡ଼ିଶା ଉପର ଦେଇ ଯାଇଥିବା ମୌସୁମୀ ନିମ୍ନ ଚାପରେଖା (ଟ୍ରଫ୍‌) ପ୍ରଭାବରେ ଭାରୀ ବର୍ଷା ହେବ । ସାରା ରାଜ୍ୟରେ ଅଧିକ ବର୍ଷା (ୱାଇଡ୍‌ ସ୍ପ୍ରେଡ୍‌) ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି ।

ଓଡ଼ିଶା ଉପର ଦେଇ ଏକ ମୌସୁମୀ ନିମ୍ନ ଚାପରେଖା ପ୍ରବାହିତ ହେଉଛି । ଦକ୍ଷିଣ ପାକିସ୍ତାନରେ କେନ୍ଦ୍ରୀଭୂତ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରୁ ଏହି ମୌସୁମୀ ନିମ୍ନ ଚାପରେଖା ଆରମ୍ଭ ହୋଇ ଅହମ୍ମଦାବାଦ, ଗୁନା, ଜବଲପୁର, ଝାରସୁଗୁଡ଼ା ଓ ଗୋପାଳପୁର ଦେଇ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯାଏ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି । ତେବେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସହ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଉଭୟ ମୌସୁମୀ ଟ୍ରଫ୍‌ ଓ ଘୂର୍ଣ୍ଣିବଳୟ ପ୍ରଭାବରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।


ସେୟାର କରନ୍ତୁ