ପରଜଙ୍ଗ : ଆଜି ଦିନ 9ଟା ସମୟରେ ପଥରଖମ୍ବ ଛକ ନିକଟରେ 53 ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା । ବସ ଷ୍ଟାଣ୍ଡ ପାଇଁ ଶହଶହ ସଂଖ୍ୟାରେ ପଥରଖମ୍ବ ଗ୍ରାମବାସୀ ଆସି ରାସ୍ତାକୁ ଅବରୋଧ କରିଥିଲେ । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ପଞ୍ଚାୟତର ସରପଞ୍ଚ ବଳରାମ ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀମାନଙ୍କ ଦ୍ୱାରା ଏହି ରାସ୍ତା ଅବରୋଧ ହୋଇଥିଲା । ବାସ୍ତବରେ, ବର୍ତ୍ତମାନ 53 ନମ୍ବର ଜାତୀୟ ରାଜପଥ କାମ ଚାଲୁ ରହିଛି । କିଛି ଦିନ ପୂର୍ବରୁ ପଥରଖମ୍ବ ଛକ ନିକଟରୁ କିଛି ଦୂରରେ ବସ ଷ୍ଟାଣ୍ଡ କରାଯାଇଛି । ଏହା କିନ୍ତୁ ସେମାନଙ୍କୁ ଦୂର ହେଉଥିବା ଏବଂ ନିଛାଟିଆ ହେଉଥିବାରୁ ସେମାନେ ଏହି ରାସ୍ତାରୋକ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଠାରେ ବିଶେଷ କରି ଛକ ନିକଟରୁ ଏହି ଷ୍ଟାଣ୍ଡ ଦୂର ହେଉଥିବାରୁ ମହିଳା ମାନଙ୍କ ପାଇଁ ବିପଦ ରହିଛି । ତେଣୁ ଆମର ଛକ ନିକଟରେ ଆମର ବସ ଷ୍ଟାଣ୍ଡ କରିବା ପାଇଁ ଆଜି ଆମେ ରାସ୍ତାରୋକ କରି ଅଛୁ ବୋଲି ଗ୍ରାମବାସୀ କୁହନ୍ତି ।

ସରପଞ୍ଚଙ୍କ କହିବା ଅନୁଯାୟୀ, ଆମର ଏ ଅବରୋଧ ପଥରଖମ୍ବ ଛକରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ କରାଯାଇଛି । ଆମେ ଆଗରୁ ଛକ ଉପରେ ବସ ଷ୍ଟାଣ୍ଡ କରିବା ପାଇଁ ପ୍ରଶାସନକୁ (IIC ଏବଂ ସବକଲେକ୍ଟର) ଅବଗତ କରାଇ ଥିଲେ ମଧ୍ୟ ଆମ କଥାକୁ ଶୁଣି ନଥିଲେ । ଯେଉଁଥି ପାଇଁ ଆମେ ଆଜି ଗ୍ରାମବାସୀ ବାଧ୍ୟହୋଇ ରାସ୍ତା ରୋକ କରିଅଛୁ ।

ତେବେ ଖବର ପାଇ କାମାକ୍ଷାନଗର ପୋଲିସ, ପରଜଙ୍ଗ ତହସିଲଦାର ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ନିଜେରହି ଆଜି କାମକୁ ଆରମ୍ଭ କରିବାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା । ଯାହା ଫଳରେ ଯାତାୟତ ସ୍ବାଭାବିକ ହୋଇଥିଲା ।