ପରଜଙ୍ଗ : ଶିଶୁ ଗଜରାଜର ମୃତ୍ୟୁ । ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଙ୍କିଳି ଗାଁ ଜରିତଇଳା ସାହି ନିକଟରେ ଥିବା ଦନାର ପୋଖରୀ ପରିବନ୍ଧିଆରେ । ଦଳ ବଦ୍ଧ ହାତୀଙ୍କ ସଂଘର୍ଷରେ ଶିଶୁ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି ।

ସୂଚନା ମୁତାବକ, ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଙ୍କିଳି ଗାଁ ଜରିତଇଳା ସାହି ନିକଟରେ ଥିବା ଦନାର ପୋଖରୀ ପାଖ ପରିବନ୍ଧିଆରୁ ଏକ ଶିଶୁ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଶିଶୁ ହାତୀଟିର ଆନୁମାନିକ ବୟସ ପ୍ରାୟ 4 ବର୍ଷ ହୋଇଥିବା ଜଣାପଡିଛି । ତେବେ ସଂଘବଦ୍ଧ ଭାବେ ହାତୀ ପଲଙ୍କ ସଂଘର୍ଷ କାରଣରୁ ଶିଶୁ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣା ସ୍ଥଳରେ ମୁକ୍ତାପଶି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ଓ ବନ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଥାଉକି, ଏ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ପଲଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ଦୁଇ ଦିନ ପୂର୍ବରୁ ଏହି ପୋଖରୀ ଭିତରେ ସଂଘବଦ୍ଧ ଭାବରେ ହାତୀପଲ ଖେଳୁଥିବା ଦେଖିବାକୁ ମିଳିଥିଲା । ଆଜି ଏହି ଅଞ୍ଚଳରେ ଏକ ମୃତ ହାତୀ ଛୁଆର ଶବ ପଡିଥିବାର ଦେଖିବାକୁ ମିଳିଅଛି । ତେବେ ଏହା ଉପରେ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ ।
