ଗୋଆ କଂଗ୍ରେସର 8 ବିଧାୟକ ବିଜେପିରେ ସାମିଲ

Truthink
ସେୟାର କରନ୍ତୁ

ନୂଆଦିଲ୍ଲୀ : ଗୋଟିଏ ପଟେ କଂଗ୍ରେସର ଭାରତ ଜୋଡ ଯାତ୍ରା ଚାଲୁରହିଛି । ଅନ୍ୟ ପକ୍ଷରେ ଗୋଆ କଂଗ୍ରେସ ପାଇଁ ପୁଣି ବଢିଛି ଅଡୁଆ । ଦଳର 8 ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍‌ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କମାତ ଓ ପୂର୍ବତନ ବିରୋଧୀ ଦଳର ନେତା ମାଇକେଲ୍‌ ଲୋବଙ୍କ ସମେତ 8 ବିଧାୟକ ବିଜେପି ସହ ଯୋଡ଼ି ହୋଇଛି । ରାଜ୍ୟରେ ଏବେ କଂଗ୍ରେସର ମାତ୍ର 3 ଜଣ ବିଧାୟକ ରହିଲେ ।

ପୂର୍ବତନ ବିଧାୟକ ମାଇକଲେ୍‌ ଏନେଇ ଗଣମାଧ୍ୟମରେ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସାମର୍ଥ୍ୟକୁ ଦୃଢ଼ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ । ସେ ଆହୁରି ବି କହିଛନ୍ତି ଯେ ‘କଂଗ୍ରେସ ଛାଡ, ବିଜେପି ଯୋଡ଼’ ।

ଏହି ବିଧାୟକମାନେ ଦଳ ଛାଡ଼ିବା ସହ ସେମାନଙ୍କ ମିଶ୍ରଣ ପତ୍ରକୁ ବିଧାନସଭାରେ ଦାଖଲ କରିଛନ୍ତି । କଂଗ୍ରେସର ବିଧାୟକମାନେ ଦଳ ଛାଡ଼ି ବିଜେପିରେ ମିଶିବା ପରେ ବିଜେପି ମୁଖପାତ୍ର ସେହଜାଦ୍‌ ପୁନାୱାଲା ଟ୍ବିଟ୍‌ କରି ‘ଗୋ ଗୋଆ ଗନ୍‌’ ବୋଲି ଲେଖିଛନ୍ତି ।

ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ‌ହେଉଛନ୍ତି ଦିଗମ୍ବର କମାତ, ମାଇକେଲ୍‌ ଲୋବ, ଦଲିଲା ଲୋବ, ରାଜେଶ ଫଲଦେଶାଇ, କେଦାର ନାୟକ, ସଂକଳ୍ପ ଆମୋନକର, ଆଲେଇକ୍ସୋ ସିକେରା ଓ ରୁଡୋଲ୍‌ଫ ଫର୍ଣ୍ଣାଡିଜ୍‌ । ସେମାନେ ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତଙ୍କୁ ଭେଟିଛନ୍ତି ।

ମୁଖ୍ୟମନ୍ତ୍ରୀ ଶାୱନ୍ତ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ବିଜେପିରେ ଯୋଗ ଦେଇଥିବା 8 ବିଧାୟକଙ୍କୁ ମୁଁ ସ୍ବାଗତ କରୁଛି । କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି । କିନ୍ତୁ ମୋତେ ଲାଗୁଛି ଗୋଆରେ କଂଗ୍ରେସ ଛାଡ଼ ଯାତ୍ରା ଆରମ୍ଭ ହୋଇଯାଇଛି ।’


ସେୟାର କରନ୍ତୁ