ରାଜ୍ୟରେ 9ଟି ସ୍ଥାନରେ ପାରଦ 14 ଡିଗ୍ରୀ ତଳେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି l ଆଜି ରାଜ୍ୟର 9ଟି ସ୍ଥାନରେ 14 ଡିଗ୍ରୀ ତଳେ ତାପମାତ୍ରା ରହିଥିବା ରେକର୍ଡ ହୋଇଛି l ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ରାଜ୍ୟର 9ଟି ସ୍ଥାନର ପାରଦ 14 ଡିଗ୍ରୀ ତଳକୁ ଖସି ଆସିଛି । ଆଜି କୋରାପୁଟ ଜିଲ୍ଲା ଶିମିଳିଗୁଡା ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା 6.4 ଡିଗ୍ରୀ ରେକର୍ଡ କରାଯାଇଛି ।

ଏହାବ୍ୟତୀତ କନ୍ଧମାଳର ଜି. ଉଦୟଗିରିରେ 8.0 ଡିଗ୍ରୀ, ଫୁଲବାଣୀରେ 10.0 ଡିଗ୍ରୀ, କୋରାପୁଟରେ 10.0 ଡିଗ୍ରୀ, ଦାରିଙ୍ଗବାଡିରେ 10.5 ଡିଗ୍ରୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ 12 ଡିଗ୍ରୀ, ବୌଦ୍ଧରେ 12 ଡିଗ୍ରୀ, ଝାରସୁଗୁଡାରେ 13.2 ଡିଗ୍ରୀ, କେନ୍ଦୁଝରରେ 13.4 ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆସନ୍ତା 3ରୁ 4 ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଅପରପକ୍ଷେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ 4.5 କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଏହାର ପ୍ରଭାବରେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କିନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ । ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।


ସେୟାର କରନ୍ତୁ