ଘଟଗାଁ ଦୁର୍ଘଟଣା : 8ଜଣ ମୃତକଙ୍କ ସମ୍ପର୍କୀୟଙ୍କୁ 3 ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର, ଘଟଗାଁ: ଘଟଗାଁ ଦୁର୍ଘଟଣାରେ 8ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ଆତ୍ମୀୟ ସୁଜନଙ୍କୁ ମୁଖ୍ୟମନ୍ତ୍ରୀ 3 ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ବି ଦେଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଆସୁଥିବା ଏକ ଉଇଙ୍ଗର ଭ୍ୟାନ‌ ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ଖାଇଥିଲା। ଭ୍ୟାନର ବେଗ ଅଧିକ ଥିବାରୁ ଦୁର୍ଘଟଣାରେ ଘଟଣାସ୍ଥଳରେ 8 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଭ୍ୟାନରେ ଥିବା ଅନ୍ୟ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତରଙ୍କୁ ଚିକିତ୍ସା ଲାଗି ପ୍ରଥମେ ଘଟଗାଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଗୁରୁତରମାନଙ୍କ ମଧ୍ୟରୁ 3ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଇଛି । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା ଏଣେ ଅନ୍ୟ 5 ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।


ସେୟାର କରନ୍ତୁ