ଲଜିଷ୍ଟିକ୍ସ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳକୁ ଅଧିକ ମଜଭୂତ୍ କରିବ – ଧର୍ମେନ୍ଦ୍ର ପ୍ରଧାନ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ସେଣ୍ଟର୍ ଫର୍ ଲଜିଷ୍ଟିକ୍ସ ଟ୍ରେନିଂ ଏବଂ ଏକ୍ସିଲେନ୍ସ(ସିଓଏଲଟିଇ) ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରେଡିଣ୍ଟନ ଫାଉଣ୍ଡେସନ, ଲଜିଷ୍ଟିକ୍ସ ସେକ୍ଟର ସ୍କିଲ କାଉନସିଲ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହା ଶୁଭାରମ୍ଭ ହୋଇଛି । ଆଜିର ପଦକ୍ଷେପ ଲଜିଷ୍ଟିକ୍ସ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳକୁ ଅଧିକ ମଜଭୂତ୍ କରିବା ଦିଗରେ କାର୍ଯ୍ୟ କରିବ । ଏହି ଆଧାରରେ ଶିଳ୍ପ ସଂସ୍ଥା ଗୁଡିକ ଭାରତର ଜନସାଧାରଣଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍ ସ୍କିଲିଂ କରିବା ପାଇଁ ଆହୁରି ଉତ୍କର୍ଷ କେନ୍ଦ୍ର ସ୍ଥାପନା କରିବା ଦରକାର ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତିରେ ସ୍କିଲ୍ ଆଧାରିତ ଶିକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷତା ଓ ସାମର୍ଥ୍ୟକୁ ଚିହ୍ନଟ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ସବୁ କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବଢାଇବା ଆବଶ୍ୟକ ହୋଇପଡିଛି । ଆଜି ଲୋକାର୍ପିତ ହୋଇଥିବା ଉତ୍କର୍ଷ କେନ୍ଦ୍ର ସମ୍ମାନ ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ସହ ମୁଣ୍ଡ ପିଛା ଉତ୍ପାଦନ ବୃଦ୍ଧି କରିବା ଦିଗରେ ଏକ ବଡ ପଦକ୍ଷେପ । ଏହି ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ପଦକ୍ଷେପ ଲଜିଷ୍ଟିକ୍ସ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାକୁ ବଢାଇବ । ଖର୍ଚ୍ଚର ପରିମାଣକୁ ହ୍ରାସ କରିବ । ଦକ୍ଷ ବିଶେଷଜ୍ଞଙ୍କ ଚାହିଦା ପୂରଣ କରିବ ଏବଂ ଆମର ଯୁବକମାନଙ୍କୁ ସୁଯୋଗ କ୍ଷେତ୍ରରେ ସଶକ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


ସେୟାର କରନ୍ତୁ