ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ 81 ବର୍ଷ ବୟସରେ ପରଲୋକ ହୋଇଯାଇଛି । ତେବେ ଶୁକ୍ରବାର ସକାଳ 5ଟା 23 ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଡାକ୍ତର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଗତ 18 ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା । ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ। ତିନିମାସ ତଳେ ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ ।

କହିବାକୁ ଗଲେ, ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ଼ ରାଜନେତା ଭାବେ ଜଣାଶୁଣା ଥିଲେ । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ଏକାଧିକ ଥର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରି ପୁଣି ବିଜେଡିକୁ ଫେରିଥିଲେ ।

ସୂଚନା ଥାଉକି, ଡ. ଦାମୋଦର ରାଉତ 1942 ମସିହା ଜୁଲାଇ 2 ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମହିମାଦେଇପୁର ଡାକଘର ଅଧୀନ ମାଳିପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବାପା ଥିଲେ କପିଳ ଚନ୍ଦ୍ର ରାଉତ । ତାଙ୍କର ଏକମାତ୍ର ପୁଅ ସମ୍ବିତ ରାଉତ ଓ ଦୁଇ ଜଣ ଝିଅ (ପ୍ରୀତିନନ୍ଦା ରାଉତରାୟ) ଅଛନ୍ତି । ସମାଜ ସେବାକୁ ଭଲ ପାଇବା ସହିତ ସେ ଓଡ଼ିଶା ରାଜନୀତିର ଜଣେ ଅଭିଜ୍ଞ ରାଜନୀତିଜ୍ଞ ଥିଲେ । ରୁଷ, ଚୀନ, ଜାପାନ, ଥାଇଲାଣ୍ଡ, ଫିଲିପାଇନ୍ସ, ମାଲେସିଆ ଓ ତାଇୱାନ ଭ୍ରମଣ କରିଥିଲେ ।

ଡ. ଦାମ ରାଉତ 1977ରୁ 1985 ଜନତା ଦଳ ଟିକେଟରେ ଏରସମାରୁ ବିଧାୟକ ହୋଇଥିଲେ । 1990 ରୁ 1995ରେ ପୁଣି ଜନତ ଦଳ ଟିକେଟରେ ଏରସମାରୁ ବିଧାୟକ ହୋଇଥିଲେ। ବିଜେଡି ଟିକେଟରେ 2002ରୁ 2009 ଯାଏଁ ଏରସମାରୁ ଓ 2009ରୁ 2019 ଯାଏଁ ପାରାଦୀପରୁ ବିଧାୟକ ହୋଇଥିଲେ । ସାତ ଥର ବିଧାୟକ ହେବା ସହିତ ସେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସାମାଜିକ କଲ୍ୟାଣ, ପଞ୍ଚାୟତିରାଜ ଓ ଅବକାରୀ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକସଂପର୍କ, ସଂସ୍କୃତି, କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗରେ ମନ୍ତ୍ରୀ ଥିଲେ ।


ସେୟାର କରନ୍ତୁ