ଆଗାମୀ 3ରୁ 4 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଏବେ ବର୍ଷା ପାଇଁ ଗୁଳୁଗୁଳିରୁ ତ୍ରାହି ପାଉଛନ୍ତି ଲୋକେ । କମିଛି ଗୁଳୁଗୁଳି । ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାକୁ ଛୁଇଁଛି ମୌସୁମୀ । ଏବେର ସୂଚନା ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେଉଁଝର ଓ ବାଲେଶ୍ଵରର କିଛି ଅଞ୍ଚଳରେ ପହଞ୍ଚିନି ମୌସୁମୀ । ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ରହିଛି । ଆଗାମୀ 3 ରୁ 4 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ ।

ପୂର୍ବ 24 ଘଣ୍ଟା ମଧ୍ୟରେ ବୌଦ୍ଧରେ ସର୍ବାଧିକ 10.8 ସେମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି 8 ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଗାମୀ 5 ଦିନ ଯାଏଁ ଲାଗି ରହିବ ବର୍ଷା ଘଡଘଡି । ଆସନ୍ତା 24 ଘଣ୍ଟାରେ ବିଜୁଳି ଘଡ଼ଘଟି ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶିକା ମନୋରମ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ 23 ଆଉ 24 ତାରିଖରେ ରାଜ୍ୟରେ କମିବ ବର୍ଷା । ପୁଣି 25 ରୁ ବଢିବ ବର୍ଷା । 26 ରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି କଳାହାଣ୍ଡି , ରାୟଗଡ଼ା , ଗଜପତି କନ୍ଧମାଳ ଓ ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ 4 ଦିନ ପାଇଁ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶା ସମେତ ବଲାଙ୍ଗୀର , ନୂଆପଡ଼ା , ସୋନପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ମାରିବାର ସମ୍ଭାବନା ରହିଛି । ଏଣୁ ସତର୍କ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏବେ କମିଛି ଗୁଳୁଗୁଳି । ଉତ୍ତର ଉପକୂଳ ଓଡ଼ିଶାରେ ସର୍ବାଧିକ 30 ଡିଗ୍ରୀ ଭଳି ତାପମାତ୍ରା ରେକର୍ଡ ହେଉଛି । ସେହିଭଳି ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରାୟ 28 ରୁ 30 ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳୁଛି । କିନ୍ତୁ ଆଗକୁ 2 ରୁ 3 ଡିଗ୍ରୀ ଭଳି ବଢିପାରେ ତାପମାତ୍ରା ।


ସେୟାର କରନ୍ତୁ