ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । କୃଷିକ୍ଷେତ୍ରକୁ ବାତ୍ୟା ପ୍ରଭାବିତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ 1,75,000 ଏକର ଫସଲ କ୍ଷୟକ୍ଷତି ହୋଇଛି । ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ କୃଷିକ୍ଷେତ୍ରକୁ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିବ ଏବଂ କ୍ଷତିପୂରଣ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାତିରେ କହିଛନ୍ତି ।
ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳୀରେ ପାଖାପାଖି 8 ଲକ୍ଷ ଲୋକଙ୍କୁ ରଖାଯାଇଛି । ଆମେ ଲୋକଙ୍କୁ ସଫଳତାର ସହିତ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିଲୁ । ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି, ସେମାନେ ଆଜି ପର୍ଯ୍ୟନ୍ତ ସେଠାରେ ସୁରକ୍ଷିତ ଅଛନ୍ତି । କିଛି ଲୋକ ଅନୁମତି କ୍ରମେ ଘରକୁ ଯାଇଛନ୍ତି । ସମସ୍ତ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । କର୍ମଚାରୀମାନେ ପ୍ରଶଂସନୀୟ କାମ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାସ୍ତା ଅବରୋଧ କାମ ଆଜି ଅପରାହ୍ଣ ସୁଦ୍ଧା ସରିଯାଇଛି । ବିଦ୍ୟୁତ କାମରେ ସାମାନ୍ୟ ବିଳମ୍ବ ହୋଇଛି। ଆଜି ଅପରାହ୍ଣରେ ବର୍ଷା ବାଧକ ସାଜିବାରୁ ବିଦ୍ୟୁତ ମରାମତି କାମ ପୂରା ହୋଇପାରି ନାହିଁ। ବାତ୍ୟା ପୂର୍ବରୁ 22.42 ଲକ୍ଷ ଘରକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ଏଥିରୁ ଗତକାଲି ସନ୍ଧ୍ୟା 6ଟା ସୁଦ୍ଧା 14.80 ଲକ୍ଷ ଘରକୁ ବିଦ୍ୟୁତ ସଯୋଗ କରାଯାଇଛି । ଏବେ ମଧ୍ୟ ତ୍ବରିତ୍ବ କାମ ଜାରି ରହିଛି । ଶକ୍ତି ବିଭାଗର ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ଯାଇଛନ୍ତି । ଭଦ୍ରକରେ 9ଟା ସୁଦ୍ଧା ବିଦ୍ୟୁତ ଆସିବାର ଲକ୍ଷ୍ୟ ରଖାଯାଇଥିଲା । ଅନ୍ୟ ସ୍ଥାନରେ କାମ ତ୍ବରିତ୍ବ ପର୍ଯ୍ୟାୟରେ କରାଯିବ । ଆସନ୍ତାକାଲି ଅପରାହ୍ଣ ପୂର୍ବରୁ ବିଦ୍ୟୁତ କାମ ସାରିବାର ଲକ୍ଷ୍ୟ ରଖାଯାଇଛି ।
ସ୍ବାସ୍ଥ୍ୟ କଥା କହିବାକୁ ଗଲେ, ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳିଛି । ଯେଉଁମାନଙ୍କୁ ମେଡିକାଲରେ ରଖାଯାଇଥିଲା, ସେମାନଙ୍କୁ ଭଲ ଚିକିତ୍ସା ଯୋଗାଇ ଦିଆଯାଇଛି। ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନା ଓ ମା ଗୃହମାନଙ୍କୁ ରଖାଯାଇଥିଲା, ଏବେବି ସେମାନେ ସୁରକ୍ଷିତ ଅଛନ୍ତି। ବାତ୍ୟା ସମୟରେ 2200 ଗର୍ଭବତୀ ମହିଳା ପିଲା ଜନ୍ମ କରିଛନ୍ତି । 18 ଜଣ ମା ଯାଆଁଳା ଶିଶୁ ଜନ୍ମ କରିଛନ୍ତି । ଯେଉଁ ଅଞ୍ଚରେ ପାଣି ଭର୍ତ୍ତି ହୋଇଛି, ସେଠାକୁ ଆଶ୍ରୟସ୍ଥଳୀରୁ ଯିବାକୁ ମନା କରାଯାଉଛି । ଲୋକଙ୍କର ଘର ଠିକ୍ ଥିଲେ, ବାତ୍ୟା ଆଶ୍ରୟସ୍ଥଳୀରୁ ଯାଇପାରିବେ । ଘରକୁ ଯିବାର ଜରୁରୀ ନଥିଲେ ଲୋକେ 7ଦିନ ପର୍ଯ୍ୟନ୍ତ ଆଶ୍ରୟ ସ୍ଥଳୀରେ ରହିପାରିବେ । ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।